Categories: ଖେଳ

ଦ୍ୱିତୀୟ ଟି୨୦: ଅଷ୍ଟ୍ରେଲିଆର ସହଜ ବିଜୟ

କାନବେରା,୫।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଳ୍ପକେ ବିଜୟ ହାତଛଡ଼ା କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ ଭ୍ରମଣକାରୀ ପାକିସ୍ତାନକୁ ସହଜରେ ପରାସ୍ତ କରିଛି। ୯ଟି ବଲ ବାକି ରଖି ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ ହେବା ସହ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ସ୍ଥାନୀୟ ମନୁକା ଓଭାଲ ଗ୍ରାଉଣ୍ଡରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିଶ୍ୱର ୧ ନମ୍ବର ଟି୨୦ ଦଳ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୦ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮.୩ ଓଭରରେ ୩ ଉଇକେଟ ହରାଇ ୧୫୧ ରନ କରି ବିଜୟୀ ହୋଇଥିଲା। ୫୧ ବଲରୁ ୧୧ ଚୌକା ଓ ୧ ଛକା ସହ ୮୦ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଷ୍ଟିଭେନ୍‌ ସ୍ମିଥ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

୧୫୧ ରନ ଆଭରେଜ ଟାର୍ଗେଟର ପିଛା କରି ଅଷ୍ଟ୍ରେଲିଆ ପ୍ରଥମେ ତାରକା ଓପନର ଡେଭିଡ ଓ୍ବାର୍ନରଙ୍କୁ ହରାଇଥିଲା। ଗତ ୪ଟି ଇନିଂସରେ ଆଉଟ ହୋଇ ନ ଥିବା ଓ୍ବାର୍ନର ୧୧ ବଲରୁ ୪ ଚୌକା ସହ ୨୦ ରନ କରି ମହମ୍ମଦ ଆମୀରଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ୩ ଚୌକା ସହ ୧୪ଟି ବଲ୍‌ ଖେଳି ଅଧିନାୟକ ଆରୋନ ଫିଞ୍ଚ୍‌ ମହମ୍ମଦ ଇର୍ଫାନଙ୍କ ବଲ୍‌ରେ ବାବର ଆଜମଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବେନ୍‌ ମ୍ୟାକଡରମୋଟ ୨୧ ରନ କରିଥିବା ବେଳେ ଇମାଦ ଓ୍ବାସିମଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଚତୁର୍ଥ ଉଇକେଟରେ ସ୍ମିଥ୍‌ ଓ ଆଷ୍ଟନ ଟର୍ନର ୩୩ ବଲରୁ ଅପରାଜିତ ୪୫ ରନ କରି ଦଳକୁ ଜିତାଇଥିଲେ। ତୃତୀୟ ଉଇକେଟରେ ସ୍ମିଥ୍‌ ଓ ମ୍ୟାକଡରମୋଟ ୪୪ ବଲରୁ ୫୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଇର୍ଫାନ, ଓ୍ବାସିମ ଓ ଆମୀର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share