ଦ୍ୱିତୀୟ କୋଣାର୍କ ନିର୍ମାଣ କରିବେ ଓମ୍‌ବାବା

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିଭିନ୍ନ ସମୟରେ ବିବାଦରେ ରହି ଆସିଥିବା ଓମ୍‌ବାବା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଓଡ଼ିଶାରେ ଦ୍ୱିତୀୟ କୋଣାର୍କ (ସୂର୍ଯ୍ୟ) ମନ୍ଦିର ନିର୍ମାଣ କରିବା ପାଇଁ ଦିଲ୍ଲୀରୁ ଭୁବନେଶ୍ୱର ଆସିବା ଅବସରରେ ସୋମବାର କହିଛନ୍ତି। ଜୀର୍ଣ୍ଣୋଦ୍ୱାର ମହାସଂଘ ଅଧ୍ୟକ୍ଷ ଥିବା ଓମ୍‌ବାବା ସହଯୋଗୀଙ୍କ ସହ ପୂର୍ବାହ୍ନରେ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଓମ୍‌ ବାବା କହିଛନ୍ତି, ପ୍ରାଚୀନ କାରୁକାର୍ଯ୍ୟରେ ଭରା କୋଣାର୍କ ମନ୍ଦିର ଭିତରେ ଆହୁରି ଅନେକ ଅଲୌକିକ ଶକ୍ତି ରହିଛି। ୧୧୧ ବର୍ଷ ତଳେ ଇଂରେଜଙ୍କ ଦ୍ୱାରା ମନ୍ଦିର ଭିତରେ ଭର୍ତ୍ତି କରାଯାଇଥିବା ବାଲି ତଳେ ବହୁ ରହସ୍ୟ ଲୁଚି ରହିଛି। ସେବେଠୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା ବନ୍ଦ ହୋଇଯିବା ଅନ୍ୟତମ ରହସ୍ୟ ହୋଇଥିବାବେଳେ ମୋତେ ପ୍ରଭୁ ଜଗନ୍ନାଥ ସ୍ବପ୍ନରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ମୁଁ ଏଠାକୁ ଆସିଛି। ଏପରିକି କୋଣାର୍କ ମନ୍ଦିର ନିକଟରେ ଜମି କିଣିଥିବା ସେ ଗଣମାଧ୍ୟମକୁ କହିଛନ୍ତି।
ସେ ଦାବି କରିଛନ୍ତି ଯେ, ବାଲିକୁ ସୂର୍ଯ୍ୟ ମନ୍ଦିରରୁ ବାହାର କର। ବାଲିକଢ଼ା ସରିବାବେଳକୁ ଦ୍ୱିତୀୟ ମନ୍ଦିର ନିର୍ମାଣ ହୋଇଯାଇଥିବ।
ସୂଚନାଯୋଗ୍ୟ, ବାବା ପୂର୍ବରୁ ଅନେକ ବିବାଦରେ ରହି ଆସିଛନ୍ତି। ସେ ରିଏଲିଟି ସୋ ବିଗ୍‌ ବସ୍‌ରେ ଜଣେ ଯୁବତୀଙ୍କୁ ମାଡ଼ମାରି ଚର୍ଚ୍ଚାରେ ଥିଲେ। ଏହାସହ ଏକ ଟିଭି କାର୍ଯ୍ୟକ୍ରମରେ ମହିଳା ଆଙ୍କରଙ୍କୁ ଟଣାଓଟରା ଓ ମାଡମାରିଥିବାବେଳେ ଅନ୍ୟ ଜଣେ ପୁରୁଷ ଆଙ୍କରଙ୍କୁ ମଧ୍ୟ ମାଡ ମାରିଥିଲେ। ଏହାସହ ସେ ମଧ୍ୟ ଅନେକ ବିକିନି ପିନ୍ଧା ଯୁବତୀଙ୍କ ସହ ନୃତ୍ୟ କରି ବିବାଦରେ ରହିଥିଲେ।