ଦୌଡ଼କୁଦ,ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ: ଦୁଲା, ଶୁଭଶ୍ରୀ, ଅଭି ଓ ଯମୁନା ଚାମ୍ପିୟନ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ହାଇସ୍କୁଲ ଖେଳ ପଡ଼ିଆରେ ସୋମବାର ଅପରାହ୍ନରେ ୬୫ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଦୌଡ଼କୁଦ (ଆଥ୍‌ଲେଟିକ୍ସ) ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଷ୍ଟେଟ୍‌ ସ୍କୁଲ୍‌ସ ସ୍ପୋର୍ଟସ ଆସୋସିଏଶନ୍‌, ଭୁବନେଶ୍ୱର ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଏବଂ ଜିଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଦ୍ୱାରା ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ଦୌଡ଼କୁଦ ସଂଗଠନର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଯୋଗଦେଇଥିଲେ। ଆଥ୍‌ଲେଟିକ୍ସରେ ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ ମାଲକାନଗିରି ଜିଲାର ଦୁଲା ମାରାଣ୍ଡି ଓ ବାଳିକା ବିଭାଗରେ ଭୁବନେଶ୍ୱରର ଶୁଭଶ୍ରୀ ପରିଡ଼ା ଏବଂ ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ କନ୍ଧମାଳ ଜିଲାର ଅଭି ଶୀଶା ଓ ବାଳିକା ବିଭାଗରେ ଭୁବନେଶ୍ୱରର ଯମୁନା ଟୁଡୁ ଚାମ୍ପିୟନ୍‌ ହୋଇଛନ୍ତି। ସଫ୍ଟବଲ୍‌ରେ ଉଭୟ ବାଳିକା ଓ ବାଳକ ବିଭାଗରେ ଭୁବନେଶ୍ୱର ଦଳ ଚାମ୍ପିୟନ୍‌ ହୋଇଥିବାବେଳେ ଉଭୟ ବାଳିକା ଓ ବାଳକ ବିଭାଗରେ ସୁନ୍ଦରଗଡ଼ ଦଳ ରନର୍ସଅପ୍‌ ହୋଇଛି। ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ। ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମହର୍ଷି ବିଦ୍ୟାଳୟର ଛାତ୍ରୀଛାତ୍ର ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିଲେ। ପରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟ ନାରାୟଣ ଗୁରୁ, କୈଳାସ ଚନ୍ଦ୍ର ପ୍ରଧାନ, ଜ୍ୟୋତି ପ୍ରସାଦ ପରିଡ଼ା, ସୌଦାମିନୀ ଦାସ, ଗଣେଶ୍ୱର ବେହେରା ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ।