ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୨୪।୧୨: ନାବାଳିକାଙ୍କୁ ବଳାତ୍କାର କରି ୭ ମାସ ଗର୍ଭବତୀ କରିବା ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତ ତାଙ୍କ ବଡ଼ବାପା ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୭ବର୍ଷ ଜେଲଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଆଉ ୨ବର୍ଷ ଜେଲ୍‌ ଭୋଗିବାକୁ ରାୟରେ କୁହାଯାଇଛି।
ଉକ୍ତ ନାବାଳିକାଙ୍କ ମା’ବାପା କୌଣସି କାର୍ଯ୍ୟରେ ବାଲେଶ୍ୱର ସହର ପଢୁଆଁପଦାସ୍ଥିତ ମାମୁ ଘରକୁ ଆସିଥିଲେ। ଘରେ ସାନଝିଅ (ନାବାଳିକା) ରହିଥିଲେ। ସନ୍ଧ୍ୟା ସମୟରେ ସେ ଟିଭି ଦେଖୁଥିବା ବେଳେ ତାଙ୍କ ବଡ଼ବାପା ପୁଅ ଭାଇ ଘର ଭିତରକୁ ଆସି କବାଟ ବନ୍ଦ କରି ଟିଭି ସାଉଣ୍ଡ ବଢ଼ାଇ ଦେଇଥିଲେ। ପରେ ନାବାଳିକା ଭଉଣୀଙ୍କୁ ବଳାତ୍କାର କରିଥିଲେ। କିଛି ସମୟ ପରେ ନାବାଳିକା ଘରୁ ବାହାରି ଏ ବିଷୟରେ ତାଙ୍କ ଅନ୍ୟଜଣେ ଦାଦାଙ୍କୁ ଜଣାଇଥିଲେ ମଧ୍ୟ ସେ ଏହି ଘଟଣା କାହାରିକୁ କହିଲେ ଜୀବନରୁ ମାରିଦେଇ ନଦୀକୁ ଫିଙ୍ଗିଦେବାକୁ ଧମକ ଦେଇଥିଲେ। ଭୟରେ ନାବାଳିକା ଜଣକ କାହାରିକୁ କିଛି ନ କହି ଚୁପ୍‌ଚାପ୍‌ ରହିଯାଇଥିଲେ। ଦୀର୍ଘ ୭/୮ମାସ ପରେ ନାବାଳିକାଜଣକ ଗର୍ଭବତୀ ଥିବା ଜାଣିପାରି ସମସ୍ତ ଘଟଣା ଅବଗତ ହେଲେ। ଏନେଇ ବସ୍ତା ଥାନାରେ ଗତ ୨୦୧୭ ଜୁଲାଇ ୭ ତାରିଖରେ ଲିଖିତ ଅଭିଯୋଗ କରାଯାଇଥିଲା। ଥାନା ପକ୍ଷରୁ ମାମଲା (ନଂ. ୨୨୨/୨୦୧୭) ରୁଜୁ କରାଯାଇ କୋର୍ଟରେ ବିଚାରାଧୀନ ଥିଲା। ୧୩ଜଣଙ୍କ ସାକ୍ଷ୍ୟ ଓ ୧୭ ଦସ୍ତାବିଜ୍‌କୁ ଭିତ୍ତି କରି ବିଚାରପତି ସୂତାର ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।