ଦୋକାନ ଦ୍ୱନ୍ଦ୍ୱ ଦୂର କଲେ ବିଏମ୍‌ସି କମିଶନର: ଏକାଠି ୫ରୁ ଅଧିକ ଦୋକାନ ନ ଥିବା ମାର୍କେଟ ଖୋଲି ପାରିବ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ ସେ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା। ଗୁରୁବାର ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି, ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ମାତ୍ର ସପିଙ୍ଗ ମଲ୍‌ ଏବଂ ମାର୍କେଟ କମ୍ପେଲକ୍ସ ଖୋଲିବ ନାହିଁ। ଯେଉଁଠି ଗୋଟିଏ ବିଲ୍‌ଡିଂରେ ୫ରୁ ଅଧିକ ଦୋକାନ ଥିବ ସେହି କମ୍ପ୍ଲେକ୍ସ ଖୋଲିବ ନାହିଁ। ଏକାଠି ୫ରୁ ଅଧିକ ଦୋକାନ ନ ଥିବା ମାର୍କେଟ ଖୋଲି ପାରିବ।  ଚା, ପାନ, ଗୁଟ୍‌ଖା, ସେଲୁନ, ସ୍ପା, ଜିମ୍‌, ମସାଜ ସେଣ୍ଟର ଆଦି ଖୋଲିପାରିବ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ରେଷ୍ଟୁରାଣ୍ଟ ଖୋଲିବ। କିନ୍ତୁ ବସି ଖାଇହେବନି। ହୋମ୍‌ ଡେଲିଭରି ନେଇହେବ। ନିର୍ମାଣ ସାମଗ୍ରୀ ଦୋକାନ ଖୋଲିପାରିବ। ଗୋଟିଏ ଦୋକାନରେ ଏକ ସମୟରେ ୫ ଗ୍ରାହକ ଏକାଠି ହେବା ମନା। ଛିଙ୍କ, କାଶ ହେଉଥିବା ଲୋକଙ୍କୁ ଦୋକାନକୁ ଯିବାକୁ ଦେବେନି। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ ଦୋକାନ ଖୋଲିବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲିବାକୁ ଅନୁମତି। ଶିଳ୍ପ ସଂସ୍ଥା ଖୋଲିବାକୁ ଚାହିଁଲେ, ଅନୁମତି ଦିଆଯାଇ ପାରିବ। ଲକ୍‌ଡାଉନ୍‌ ଥିବାରୁ ଓ ଭୁବନେଶ୍ୱର ରେଡ୍‌ ଜୋନ୍‌ ଯୋଗୁ କଟକଣା ରହିବ ବୋଲି କମିଶନର ଚୌଧୁରୀ କହିଛନ୍ତି।