Categories: ଖେଳ

ଦୈନିକ ୪ଘଣ୍ଟା ଅଭ୍ୟାସ କରୁଛନ୍ତି କୁଲ୍‌ଦୀପ

ଲକ୍ଷ୍ନୌ, ୯ା୬ (ପି.ଟି.)- ଭାରତର ବାମହାତୀ ରିଷ୍ଟ ସ୍ପିନର କୁଲ୍‌ଦୀପ ଯାଦବ ପୁଣି ତାଙ୍କର ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ଦୈନିକ ୪ଘଣ୍ଟା ଅଭ୍ୟାସ କରୁଛନ୍ତି। ବଲ୍‌କୁ ଚକ୍‌ ଚକ୍‌ କରିବା ଲାଗି ବୋଲରମାନେ ଛେପ ବ୍ୟବହାର କରିବା ଏକ ସ୍ବାଭାବିକ ଅଭ୍ୟାସ। ମାତ୍ର ଏହା ନ କରିବା ଲାଗି ଚେଷ୍ଟା କରୁଛନ୍ତି। ଲକ୍‌ଡାଉନ୍‌ କଟକଣା ଯୋଗୁ ଖେଳାଳିମାନଙ୍କୁ ନିଜ ଅଞ୍ଚଳରେ ଟ୍ରେନିଂ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ଦ୍ଦେଶ ରହିଛି। କୁଲ୍‌ଦୀପ ନିଜ ପିଲାଦିନର କୋଚ୍‌ କପିଲ ପାଣ୍ଡେଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ରୋଭର୍ସ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି। ଲାଲ୍‌ ବାଂଲା ଅଞ୍ଚଳରେ ଅବସ୍ଥିତ ରୋଭର୍ସ ଗ୍ରାଉଣ୍ଡରେ ସେ ତାଙ୍କ ଦୈନିକ ଅଭ୍ୟାସ ସେସନକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ସକାଳେ ୭ଟା ୩୦ରୁ ୯ଟା ସେ ଫିଜିକାଲ ଟ୍ରେନିଂ ନେଉଛନ୍ତି। ଘରକୁ ଯାଇ ସେ ପୁଣି ସନ୍ଧ୍ୟାବେଳା ଆସି ୪ଟାରୁ ୮ଟା ପର୍ଯ୍ୟନ୍ତ ନେଟ୍ସରେ ବୋଲିଂ କରୁଛନ୍ତି। କୁଲ୍‌ଦୀପ କହିଛନ୍ତି, ମୁଁ ଏକ ସପ୍ତାହ ହେଲା ଆଉଟ ଡୋର୍‌ ଟ୍ରେନିଂ ଆରମ୍ଭ କରିଛି। ଘରେ ଅବା ବାହାରେ ମୁଁ ସୋସିଆଲ ଡିଷ୍ଟାନ୍ସ ବଜାୟ ରଖୁଛି। ଆଉ କିଛି ସପ୍ତାହ ମଧ୍ୟରେ ମୁଁ ପ୍ରତିଯୋଗିତାମୂଳକ କ୍ରିକେଟ ପାଇଁ ଫିଟ୍‌ ହୋଇଯିବି। କୁଲଦୀପ ଇତିମଧ୍ୟରେ ଦେଶ ପାଇଁ ୬ଟି ଟେଷ୍ଟ, ୬୦ ଅନ୍ତର୍ଜାତୀୟ ଦିନିକିଆ ଏବଂ ୨୧ ଅନ୍ତର୍ଜାତୀୟ ଟି୨୦ ଖେଳିସାରିଛନ୍ତି। ୨୫ ବର୍ଷୀୟ ଏହି ବୋଲରଙ୍କର ବୋଲିଂ ବେଳେ ବଲ୍‌କୁ ଚକ୍‌ ଚକ୍‌ କରିବାଲାଗି ପିଲାଦିନୁ ଛେପକୁ ବ୍ୟବହାର କରି ଆସୁଛନ୍ତି। କରୋନାଭାଇରସ୍‌ ମହାମାରୀ ଯୋଗୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଛେପ ବ୍ୟବହାର ଉପରେ କଟକଣା ଜାରି କରିଛି। ମୋତେ ଏହି ଅଭ୍ୟାସକୁ ଛଡ଼ିବାକୁ ପଡ଼ିବ। ଖୁବ୍‌ ଶୀଘ୍ର ଏହାର ବିକଳ୍ପ ବ୍ୟବସ୍ଥା ବାହାରିଯିବ ବୋଲି ମୋର ଆଶା ବୋଲି ସମସ୍ତ ଫର୍ମାଟରେ ୧୬୭ ଅନ୍ତର୍ଜାତୀୟ ଉଇକେଟ ହାସଲ କରିଥିବା କୁଲ୍‌ଦୀପ କହିଛନ୍ତି।

Share