ଦୈନନ୍ଦିନ ଜୀବନରେ ସ୍ବଚ୍ଛତାକୁ ସାମିଲ କର

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ବର୍ତ୍ତମାନ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଲୋକଙ୍କୁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିବାର ମାଧ୍ୟମ ହୋଇପାରିଛି। ପ୍ରଦୂଷଣ ପ୍ରତିହତ କରିବା, ପ୍ଲାଷ୍ଟିକ୍‌ ନିଷିଦ୍ଧ, ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଚାରୁ ଭାବେ ତୁଲାଇଲେ ହିଁ ପରିବେଶ ସ୍ବଚ୍ଛ ରହିବ। ପରିବେଶ ସ୍ବଚ୍ଛ ରଖିବାକୁ ହେଲେ ଆମକୁ ସ୍ବଚ୍ଛତାକୁ ନିଜ ଦୈନନ୍ଦିନ ଜୀବନରେ ଏକ ମନ୍ତ୍ର ଭାବେ ମାନି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଶୁକ୍ରବାର କିମ୍‌ସ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବଚ୍ଛ ସର୍ବେକ୍ଷଣ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଜେନା କହିଥିଲେ, ଓଡ଼ିଶାକୁ ସ୍ବଚ୍ଛ ଓ ସୁସ୍ଥ ଭାବେ ଗଢ଼ିବା ପାଇଁ ଆମକୁ ଏକତ୍ରିତ ହେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ରକୁ ଅନୁସରଣ କରି କାର୍ଯ୍ୟ କରିବାକୁ ପଡ଼ିବ। ଲୋକଙ୍କୁ ଖୁବ୍‌ଶୀଘ୍ର ଗୁଣାତ୍ମକ ସେବା ପ୍ରଦାନ ନିମନ୍ତେ ଏହି ୫ ‘ଟି’ ନୀତି ଅବଲମ୍ବନ କରାଯାଇଛି। ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)କୁ ପୁନର୍ବାର ରାଜ୍ୟର ପ୍ରଥମ ବାହ୍ୟ ମଳମୁକ୍ତ ପ୍ଲସ ପ୍ଲସ (ଓଡିଏଫ ++) ମହାନଗର ଭାବେ ପୁରସ୍କୃତ କରାଯାଇଛି। ମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଏମ୍‌ସି ପକ୍ଷରୁ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବସ୍ତି ଉନ୍ନୟନ ଅଧିକାରୀ ଈପସିତା ପ୍ରିୟଦର୍ଶନୀ ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ୨୦୧୮ ଅକ୍ଟୋବରରେ ବ୍ରହ୍ମପୁରକୁ ରାଜ୍ୟର ପ୍ରଥମ ବାହ୍ୟମଳମୁକ୍ତ ସହର ଭାବେ ଘୋଷଣା କରାଯାଇଥିଲା। ୨୦୧୯ ଜାନୁୟାରୀ ୬ରେ ରାଜ୍ୟର ପ୍ରଥମ ବାହ୍ୟ ମଳମୁକ୍ତ ମହାନଗର ଭାବେ ବ୍ରହ୍ମପୁର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା। କାର୍ଯ୍ୟକ୍ରମରେ ଜାତୀୟ ସ୍ବଚ୍ଛ ଭାରତ ମିଶନ ନିର୍ଦ୍ଦେଶକ ବିନୋଦ କୁମାର ଜିନ୍ଦଲ, ନଗର ଉନ୍ନୟନ ବିଭଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ, ବିଭାଗୀୟ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ବିଭିନ୍ନ ପୌରସଂସ୍ଥା ଓ ନଗର ନିଗମ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।