ଦେଶୀ ମାଛରୁ ପ୍ରସ୍ତୁତ ହେବ ମୂଲ୍ୟଯୁକ୍ତ, ପୁଷ୍ଟିକର ଖାଦ୍ୟ

କଟକ ଅଫିସ, ୨।୮ : ଓଡ଼ିଶାରେ ମଧୁରଜଳ ମାଛର ଚାହିଦା ଅଧିକ ଥିବାବେଳେ ଛୋଟ ମାଛଗୁଡ଼ିକ ଅଧିକ ପୁଷ୍ଟିଯୁକ୍ତ ଓ ଅନ୍ୟାନ୍ୟ ଖାଦ୍ୟସାରରେ ପରିପୂର୍ଣ୍ଣ। ତେଣୁ ଏହାର ଉତ୍ପାଦନ ସହିତ ଏଥିରୁ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରିବା ପାଇଁ ଆନ୍ତର୍ଜାତିକ ମତ୍ସ୍ୟ ଗବେଷଣା ସଂସ୍ଥା ୱାର୍ଲଡଫିସ୍‌ ପକ୍ଷରୁ ଯୋଜନା କରାଯାଇଛି। ମାଲେସିଆରେ ଥିବା ଏହି ସଂସ୍ଥା ରାଜ୍ୟ ସରକାରଙ୍କ ସହିତ ଏଥିଲାଗି ୫ ବର୍ଷିଆ ଚୁକ୍ତି କରିଛି। ଏନେଇ କଟକସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟଠାରେ ୱାର୍ଲଡଫିସ୍‌ ସଂଗଠନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି। ଏପରି କି ଏକ ପ୍ରତିନିଧିମଣ୍ଡଳୀ କୋଚିନ ଗସ୍ତରେ ଯାଇ ଭାରତ ସରକାରଙ୍କ କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ୱାର୍ଲଡଫିସ ସଂଗଠନର ପ୍ରକଳ୍ପ ପ୍ରବନ୍ଧକ ଡ. ବୈଷ୍ଣବ ଚରଣ ରଥ, ରୁଚି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଓ ଫାଲକନ ମେରାଇନ ଏକ୍ସପୋର୍ଟର ବିକ୍ରୟ ପ୍ରବନ୍ଧକ ସ୍ବଦେଶ ଷଡଙ୍ଗୀ ଏହି ପ୍ରତିନିଧିମଣ୍ଡଳୀରେ ସାମିଲ ଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ମତ୍ସ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ସି. ରବିଶଙ୍କରଙ୍କ ସହିତ ପ୍ରତିନିଧିମଣ୍ଡଳୀର ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତିନିଧିମଣ୍ଡଳୀ ମାଛରୁ ବିଭିନ୍ନ ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତି, ଓଡ଼ିଶାରେ ତାହାର ବହୁଳ ଉତ୍ପାଦନ ଓ ପ୍ରସାର ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ।
ରାଜ୍ୟ ମତ୍ସ୍ୟ ବିଭାଗ ସହଯୋଗରେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଜରିଆରେ ପଞ୍ଚାୟତ ପୋଖରୀକୁ ଦୀର୍ଘମିଆଦୀ ଲିଜ୍‌ ସୂତ୍ରରେ ଦିଆଯାଇଛି। ମାଛଚାଷ କାର୍ଯ୍ୟକ୍ରମରେ ଅନୂ୍ୟନ ୧୫୦୦ ହେକ୍ଟର ପରିମିତ ପୋଖରୀରେ ମାଛଚାଷ କରାଯାଉଛି। ଏ ବର୍ଷ ଏହାକୁ ଦ୍ୱିଗୁଣିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ୱାର୍ଲଡଫିସ୍‌ର ପ୍ରବନ୍ଧକ ଡ. ରଥ କହିଛନ୍ତି।