Categories: ଜାତୀୟ

ଦେଶର ଅର୍ଥନୀତି ଆଇସିୟୁରେ: ମନିଶ ତିଓ୍ବାରୀ

ନୂଆଦିଲ୍ଲୀ,୨୩।୮: ଦେଶର ଅର୍ଥ ବ୍ୟବସ୍ଥା ବେଳକୁ ବେଳ ବିଗିଡି ଯାଉଥିବା ବେଳେ ଏବେ ଅଟୋ ମୋବାଇଲ ଶିଳ୍ପଠାରୁ ଆରମ୍ଭ କରି ଅନେକ ଶିଳ୍ପରେ ଛଟେଇ ଅଭିଯାନ ଆରମ୍ଭ ହୋଇଯାଇଛି। ଆଉ ଏହାକୁ ଦେଖି ଶୁକ୍ରବାର ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଦେଶର ଅର୍ଥନୀତି ଏତେ ଖରାପ ହୋଇଛି ଯେ ଗତ ୭୦ ବର୍ଷ ଭିତରେ ଏମିତି ପରିସ୍ଥିତି ହୋଇ ନ ଥିଲା। ଏବେ ରାଜୀବ କୁମାରଙ୍କ ଏହି ଉକ୍ତି ବିରୋଧୀଙ୍କ ପାଇଁ ବେଶ୍‌ କାମରେ ଲାଗିଛି। କଂଗ୍ରେସ ପ୍ରବକ୍ତା ମନିଶ ତିଓ୍ବାରୀ ଏହାକୁ ନେଇ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଦେଶର ଅର୍ଥନୀତି ବିଗିଡିବାର ମୂଳ କାରଣ ବିମୁଦ୍ରୀକରଣ ଓ ଜିଏସ୍‌ଟି ବୋଲି କୁହାଯାଉଥିବା ବେଳେ ଏହାର ଉତ୍ତର ରଖିବାକୁ ମନିଶ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ପରୋକ୍ଷରେ କହିଛନ୍ତି। ମନିଶ କହିଛନ୍ତି ଅର୍ଥମନ୍ତ୍ରୀ କେବେ ତାଙ୍କ ବିଭାଗ କଥା ପଦାରେ ପକାଇବାକୁ ଦେବେ ନାହିଁ। କାରଣ ସେ କେବେ ତାଙ୍କ ବିଭାଗ ବିଷୟରେ ଆଲୋଚନା କରି ନାହାଁନ୍ତି। ଆଉ ଯଦି ସେ ଏହା ଉପରେ ଆଲୋଚନା କରିବେ ତେବେ ସେ ପ୍ରଥମେ କହି ରଖନ୍ତୁ ଯେ ଦେଶର ଅର୍ଥ ବ୍ୟବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡିଲା କେମିତି। ତେବେ ଦେଶର ଅର୍ଥ ବ୍ୟବସ୍ଥା ଏବେ ଆଇସିୟୁରେ ବୋଲି ମନିଶ କହିଛନ୍ତି। କାରଣ ସହରାଞ୍ଚଳରେ ଏବେ ବେରୋଜଗାର ସମସ୍ୟା ବଢିବାରେ ଲାଗିଛି। ସୂଚନାଯୋଗ୍ୟ, ଶୁକ୍ରବାର ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ, ଦେଶର ଅର୍ଥନୀତି ଏତେ ଖରାପ ହୋଇଛି ଯେ ଗତ ୭୦ ବର୍ଷ ଭିତରେ ଏମିତି ପରିସ୍ଥିତି ହୋଇ ନ ଥିଲା। ନ ବୁଝି ନ ସୁଝି ଋଣ ଦେବା ଏହାର ମୁଖ୍ୟ କାରଣ ବୋଲି ରାଜୀବ କହିଥିଲେ।

Share