ଦେଶରେ ୨୩, ଓଡ଼ିଶାରେ ୨ ନକଲି ବିଶ୍ୱବିଦ୍ୟାଳୟ: ଉତ୍ତରପ୍ରଦେଶରେ ସର୍ବାଧିକ ୮, ଦିଲ୍ଲୀରେ ୭

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ(ୟୁଜିସି) ମଙ୍ଗଳବାର ନକଲି ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତ ତଥ୍ୟ ପ୍ରକାଶ କରିଛି। ଦେଶରେ ନିଜସ୍ବ ଢଙ୍ଗରେ ୨୩ ନକଲି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି। ଉତ୍ତରପ୍ରଦେଶରେ ସର୍ବାଧିକ ୮ ନକଲି ବିଶ୍ୱବିଦ୍ୟାଳୟ ରହିଥିବାବେଳେ ଏହି ତାଲିକାରେ ରାଜଧାନୀ ଦିଲ୍ଲୀର ୭ ବିଶ୍ୱବିଦ୍ୟାଳୟ ରହିଛି। ତେବେ ନକଲି ବିଶ୍ୱବିଦ୍ୟାଳୟ ତାଲିକାରୁ ବାଦ୍‌ ପଡ଼ିନି ଓଡ଼ିଶା। ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଥିବା ୟୁଜିସି ତଥ୍ୟରୁ ଜଣାପଡ଼ିଛି। ରାଉରକେଲା ଶକ୍ତିନଗରସ୍ଥିତ ନବଭାରତ ଶିକ୍ଷା ପରିଷଦ ଓ ବାରିପଦାଠାରେ ରହିଥିବା ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନକଲି ଥିବା ଜଣାପଡ଼ିଛି। ସେହିପରି ପଶ୍ଚିମବଙ୍ଗରେ ୨, କର୍ନାଟକରେ ୨, ମହାରାଷ୍ଟ୍ରରେ ୧, ପଣ୍ଡିଚେରୀରେ ୧ ବିଶ୍ୱବିଦ୍ୟାଳୟ ନକଲି ରହିଛି। ଏସବୁ ବିଶ୍ୱବିଦ୍ୟାଳୟରେ ନାମ ନ ଲେଖାଇବା ପାଇଁ ୟୁଜିସି ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ସତର୍କ କରାଯାଇଛି।