Categories: ଜାତୀୟ

ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ଦ୍ୱାରା ଖୋଜାଯିବ କୋଇଲା ଓ ଖଣିଜ ଭଣ୍ଡାର

ରାଞ୍ଚି,୫।୨: ଭୂଗର୍ଭରେ ଥିବା କୋଇଲା ଏବଂ ଅନ୍ୟ ଖଣିଜ ଭଣ୍ଡାର ସମ୍ପର୍କରେ ତଥ୍ୟ ଏବେ ଡ୍ରୋନ୍‌ ଦ୍ୱାରା ସଂଗ୍ରହ କରାଯିବ। ଦେଶରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ଡ୍ରୋନ୍‌ ଦ୍ୱାରା ଏପରି କରାଯିବ। ଏହାଦ୍ୱାରା ଭୂଗର୍ଭର ୨୦୦ ମିଟର ମଧ୍ୟରେ ଗଚ୍ଛିତ ଥିବା କୋଇଲା ତଥା ଖଣିଜ ଭଣ୍ଡାର ସମ୍ପର୍କରେ ସହଜରେ ଜଣାପଡ଼ିବ। ଏହାକୁ ୪୦୦ ମିଟର ଉଚ୍ଚରେ ଉଡ଼ାଯାଇ ପାରିବ। ସେଣ୍ଟ୍ରାଲ୍‌ କୋଲ୍‌ ମାଇନ୍ସ୍‌ ଡିଜାଇନ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏଭଳି ୭ଟି ଡ୍ରୋନ୍‌ କିଣିବା ଲାଗି ଯୋଜନା କରାଯାଇଛି। ପ୍ରତି ଡ୍ରୋନ୍‌ର ଦାମ୍‌ କୋଟିଏ ୮୦ ଲକ୍ଷ ଟଙ୍କା ରହିଛି। ସହଜରେ ସର୍ଭେ ମ୍ୟାପିଂ କରିପାରୁଥିବା ଏହି ଡ୍ରୋନ୍‌ ଜାପାନ, ଆମେରିକା ଏବଂ ଜର୍ମାନୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଚେନ୍ନାଇ ସ୍ଥିତ ସେଣ୍ଟର ଫର୍‌ ଏୟାର ସ୍ପେସ୍‌ ସେଣ୍ଟରରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଡ୍ରୋନ୍‌ ଚଳିତ ମାସରେ ରାଞ୍ଚି ପହଞ୍ଚିବ। ସେଥିମଧ୍ୟରେ ଗୋଟିଏ ରାଞ୍ଚି ଏବଂ ଅନ୍ୟଟି ବିଳାସପୁରରେ ରହିିବ। ରାଞ୍ଚିରେ ଏହି ଡ୍ରୋନ୍‌କୁ ସିସିଏଲ୍‌ ଏବଂ ବିସିସଏଲ୍‌ ଖଦାନରେ ବ୍ୟବହାର କରାଯିବ। ଏହା ଦ୍ୱାରା ଭୂଗର୍ଭର ୩-ଡି ଫଟୋ ଚିତ୍ର ଉତ୍ତୋଳନ କରାଯାଇ ଖଣିଜ ଭଣ୍ଡାର ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସହଜରେ କମ୍‌ ସମୟ ମଧ୍ୟରେ ହୋଇପାରିବ ବୋଲି କୁହାଯାଉଛି।

Share