Categories: ଜାତୀୟ

ଦେଶକୁ ନୁହେଁ, ଆଇନକୁ ବିରୋଧ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭ ଥମିବାର ନଁା ନେଉନାହିଁ। ଦିଲ୍ଲୀ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍‌ଆଇୟୁ) ଛାତ୍ରୀଛାତ୍ର ବୁଧବାର କ୍ୟାମ୍ପସ୍‌ର ଗେଟ୍‌ ନମ୍ବର ୭ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ବିକ୍ଷୋଭକାରୀମାନେ ହାତରେ ଭାରତର ଏକ ବିଶାଳ ମାନଚିତ୍ର ଧରି ରାସ୍ତାକୁ ଓହ୍ଲାଇଥିଲେ। ସିଏଏ ପ୍ରତ୍ୟାହାର ଦାବିରେ ସେମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଆମେ ଜିତିବୁ କି ହାରିବୁ ତାହା ଆମକୁ ଜଣାନାହିଁ। କିନ୍ତୁ ଲଢ଼େଇ ଜାରି ରହିବ ବୋଲି ଜଣେ ଛାତ୍ର ଉଦ୍‌ବୋଧନ ଦେଇଥିଲେ। ଅପରାହ୍ନ ଗୋଟାଏରେ ଆଖପାଖର ସ୍କୁଲ ଛାତ୍ରୀଛାତ୍ର ଓ ଅନ୍ୟ ବର୍ଗର ଲୋକେ ଏଥିରେ ସାମିଲ ହେବା ପରେ ବିକ୍ଷୋଭ ଜୋର୍‌ ଧରିଥିଲା। ବିକ୍ଷୋଭକାରୀଙ୍କ ମଧ୍ୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ର ସଂସଦର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଏବଂ ସାମାଜିକ କର୍ମୀ ମେଧା ପାଟକର ଥିଲେ। ଜାମିଆ ଶିକ୍ଷକ ସଂଘ ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଥିଲା। ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନର ୫୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଗବେଷଣା ଛାତ୍ର ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିଲେ, ‘ଆମେ ସିଏଏ ବିରୋଧୀ କିନ୍ତୁ ଦେଶ ବିରୋଧୀ ନୋହୁଁ। ’

Share