Categories: ଜାତୀୟ

ଦେବେଗୌଡ଼ା, ଖାର୍ଗେ ରାଜ୍ୟ ସଭାକୁ ନିର୍ବାଚିତ

ବେଙ୍ଗାଲୁରୁ,୧୩ା୬(ଆଇଏଏନ୍‌ଏସ୍‌): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ସୁପ୍ରିମୋ ଏଚ୍‌.ଡି. ଦେବେଗୌଡ଼ା ଏବଂ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଶାସକ ଭାଜପାର ଦୁଇଜଣ ତୃଣମୂଳ ସ୍ତରର ନେତା ଅଶୋକ ଗସ୍ତି ଏବଂ ଇରାନ୍ନା କଡାଡି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଶୁକ୍ରବାର ଘୋଷଣା କରାଯାଇଛି। ଜୁନ୍‌ ୨୫ରେ ଜେଡିଏସ୍‌ର କୁପନ୍ଦ୍ରେ ରେଡ୍ଡୀ, କଂଗ୍ରେସର ବି.କେ. ହରିପ୍ରସାଦ, ରାଜୀବ ଗୌଡ଼ା ଏବଂ ଭାଜପାର ପ୍ରଭାକର କୋରେଙ୍କ କାର୍ଯ୍ୟକାଳ ପୂରଣ ହେଉଥିବାରୁ ରାଜ୍ୟ ସଭାରେ ସେମାନଙ୍କ ସ୍ଥାନରେ ଉପରୋକ୍ତ ନେତା ପ୍ରତିନିଧିତ୍ୱ କରିବେ। ୧୯ ତାରିଖରେ ରାଜ୍ୟ ସଭା ନିର୍ବାଚନ ଥିବାବେଳେ ଶୁକ୍ରବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ସମୟସୀମା ଶେଷ ହେବା ପରେ ଅନ୍ୟ କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ଦେବେଗୌଡା, ଖାର୍ଗେ, ଗସ୍ତି ଓ କଡାଡ଼ି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ରିଟର୍ନିଂ ଅଫିସର ଏମ୍‌.କେ. ବିଶାଳାକ୍ଷୀ ଘୋଷଣା କରିଥିଲେ। ଜେଡିଏସ୍‌ର ୩୪ ବିଧାୟକ ଥିବାବେଳେ କଂଗ୍ରେସ ସମର୍ଥନରେ ଦେବେଗୌଡ଼ା ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି।

Share