ଦେବୀ ନଦୀରୁ ବେଆଇନ ବାଲି ଉଠାଣ

ନାଉଗାଁ,୯ା୭(ସ୍ବ.ପ୍ର.): ନାଉଗାଁ ବ୍ଲକରେ ସରକାରଙ୍କ ପକ୍ଷରୁ ୨ଟି ବାଲି ସୈରାତ ନିଲାମ ଦିଆଯାଇଛି। ତେବେ ଏହି ଦୁଇ ସୈରାତ ବ୍ୟତୀତ ଦେବୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ୍‌ ଭାବେ ବାଲି ଉତ୍ତୋଳନ କରାଯାଉଛି। ପ୍ରତ୍ୟହ ଶହ ଶହ ଟ୍ରାକ୍ଟର ଯୋଗେ ଏସବୁ ବାଲି ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି। ବାରମ୍ବାର ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। କେବଳ ଲୋକ ଦେଖାଣିଆ ଭାବେ କେତେବେଳେ କେମିତି ଚଢ଼ାଉ କରାଯାଉଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନୀ ହେଉଥିବାବେଳେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ବ୍ଲକର ବଛାଳୋ, ରୋହିଆ, ଓଷକଣା ପଞ୍ଚାୟତର ଭଟଣା ଗ୍ରାମ ନିକଟସ୍ଥ ନଦୀ ପଠାରୁ ପ୍ରତ୍ୟେହ ଶହ ଶହ ଟ୍ରାକ୍ଟର ବାଲି ବେଆଇନ୍‌ ଭାବେ ଚାଲାଣ ହେଉଛି। ମାଫିଆମାନେ ଦିନରାତି ଏଠାରୁ ବାଲି ଉତ୍ତୋଳନ କରୁଛନ୍ତି। ବିଭିନ୍ନ ସ୍ଥାନରେ ଠିକାଦାର କରୁଥିବା ରାସ୍ତା ଓ ଘର କାମରେ ଏସବୁ ବାଲି ବ୍ୟବହାର କରାଯାଉଛି। ସାମବାର ସନ୍ଧ୍ୟାରେ ଭଟଣା ଗ୍ରାମ ନିକଟରେ ବାଲି ଚାଲାଣ ସମୟରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ମାତ୍ର ଗୋଟିଏ ଟ୍ରାକ୍ଟର ଜବତ କରାଯାଇଥିବା ବେଳେ ଅନ୍ୟ ସବୁ ଟ୍ରାକ୍ଟର ଖସି ପଳାଇଥିଲେ। ବେଆଇନ ଭାବେ ବାଲି ଚାଲାଣ ଯୋଗୁ ନଦୀପଠାଖୋଳି ହୋଇ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିସହ ନଦୀ ପଠାରେ ସୃଷ୍ଟି ହୋଇଥିବା ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେଉଛି। ଏଭଳି ବାଲି ଉତ୍ତୋଳନ ଯୋଗୁ ଆଗକୁ ବନ୍ୟା ପାଣି ଆସିଲେ ତାହା ସିଧାସଳଖ ନଦୀବନ୍ଧରେ ପିଟି ହେବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ବର୍ଷାଦିନ ଯୋଗୁ ବାଲି ମାଫିଆମାନେ ଗଁା ଖେଳ ପଡ଼ିଆଠାରୁ ଆରମ୍ଭ କରି ମନ୍ଦିର ପ୍ରାଙ୍ଗଣରେ ଆଗୁଆ ବାଲି ଗଦା କରି ଗଚ୍ଛିତ ରଖୁଛନ୍ତି। ଏହି ବାଲି ବିନା ଟ୍ରାଞ୍ଜିଟ୍‌ ପରିମିଟ୍‌ରେ ନିକଟସ୍ଥ ପୁରୀ ଜିଲାକୁ ଚାଲାଣ ହେଉଛି। ଏହା ଉପରେ ରାଜସ୍ବ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କର ନ ଥିବା ଅଭିଯୋଗ ହେଉଛି। ତେଣୁ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ନାଉଗଁା ତହସିଲଦାର ଜେ. କଳ୍ପନା କହିଛନ୍ତି ଯେ, ଜବତ ହୋଇଥିବା ଟ୍ରାକ୍ଟରଠାରୁ ସର୍ବନିମ୍ନ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯିବ। ଏଥିସହ ବେଆଇନ୍‌ ବାଲି ଚାଲାଣ ରୋକିବାକୁ ଆଗାମୀ ଦିନରେ ଚଢ଼ାଉ ଜାରି ରହିବ।