ଦେବଗଡରେ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ

ଦେବଗଡ, ୬ା୫(ଡି.ଏନ.ଏ.): କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ଦେବଗଡ ଜିଲା ନିମନ୍ତେ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଶକ୍ତି ବିଭାଗର ସଚିବ ବିଷ୍ଫୁପଦ ସେଠୀ ଏବଂ ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ ବୁଧବାର ଦେବଗଡ ଜିଲା ଗସ୍ତରେ ଆସିଥିଲେ। ଜିଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ମୁକାବିଲା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ପ୍ରସ୍ତୁତି ଉପରେ ଅଧିକାରୀ ଦ୍ୱୟ ଆଲୋଚନା କରଥିଲେ। ସ୍ଥାନୀୟ ସାର୍କିଟ୍‌ ହାଉସଠାରେ ଆୟୋଜିତ ବୈଠକରେ ସେମାନେ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲାର କଣ୍ଟେନମେଣ୍ଟ ଅଞ୍ଚଳର ପରିସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ଜିଲାର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। କଣ୍ଟେନମେଣ୍ଟ ଅଞ୍ଚଳରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପରେ ସେମାନେ ଜିଲା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର, କୋଭିଡ ପ୍ରଯତ୍ନ କେନ୍ଦ୍ର, ଆଇସୋଲେଶନ ସେଣ୍ଟର ଏବଂ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଜିଲାପାଳ ସୁଧାଂଶୁ ମୋହନ ସାମଲ, ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଧରମ ହାଁସଦା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭିନ୍‌ସେଣ୍ଟ ପୁନମ କାନ୍ତ ଏକ୍କା, ଉପଜିଲାପାଳ ବ୍ରଜବନ୍ଧୁ ଭୋଇ, ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ. ମନୋଜ କୁମାର ଉପାଧ୍ୟାୟ ଏବଂ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।