ଦେଢ଼ ମାସ ପରେ ଟ୍ରାଫିକ୍‌ ପୋଷ୍ଟ କାର୍ଯ୍ୟକ୍ଷମ: କଡ଼ାକଡ଼ି ହେଲା ଯାଞ୍ଚ

ଭୁବନେଶ୍ୱର,୫।୫ (ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପୂର୍ବରୁ ଭୁବନେଶ୍ୱରରେ କଟକଣା ଓ ଯାଞ୍ଚକୁ କୋହଳ କରାଯାଇଥିଲା। ଫଳରେ ରାଜଧାନୀ ରାସ୍ତାରେ ଗାଡ଼ିମୋଟର ଭିଡ଼ ବଢ଼ିଥିଲା। ହେଲେ ରାଜଧାନୀକୁ ରେଡ୍‌ଜୋନ୍‌ରେ ରଖାଯିବା ପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ପୁଣି କଟକଣା ଲଗାଯାଇଛି। ସୋମବାରଠାରୁ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚକୁ କଡାକଡ଼ି କରାଯାଇଛି। ଆଗକୁ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦେଢ ମାସ ପରେ ରାଜଧାନୀର ପ୍ରମୁଖ ଟ୍ରାଫିକ ପୋଷ୍ଟ କାର୍ଯ୍ୟକ୍ଷମ ହୋଇଛି। ସକାଳୁ ଏଜି ଛକ, ରାଜମହଲ ଛକ, କଳ୍ପନା, ନାଲ୍‌କୋ, ରୁପାଲି ଆଦି ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୋଲିସ ମୁତୟନ ରହି ଗାଡ଼ିମୋଟର ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଥିଲା।