ଦେଢ଼ମାସରେ ୨୦.୩% କମିଛି ବର୍ଷା ପରିମାଣ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ରାଜ୍ୟରେ ଏପର୍ଯ୍ୟନ୍ତ ସ୍ବାଭାବିକ ବର୍ଷା ହୋଇନାହିଁ। ଚଳିତବର୍ଷ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ଜୁଲାଇ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ପ୍ରବଳ ବର୍ଷା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ ବର୍ଷାର ଦେଖା ନାହିଁ। ଗୋଟିଏ ଦିନ ବର୍ଷା ହୋଇଗଲେ ଆଉ ୩-୪ଦିନ ବର୍ଷା ହେଉନାହିଁ। ଜୁନ୍‌ ମାସରେ ୨୧୬.୫ ମିମି ବର୍ଷା ହେବା କଥା। ମାତ୍ର ୧୪୮.୩ ମିମି ବର୍ଷା ହୋଇଥିଲା। ତେବେ ଜୁଲାଇ ମାସରେ କିଛି ମାତ୍ରାରେ ଏହି ନିଅଣ୍ଟିଆ ବର୍ଷା ପରିମାଣ ପୂରଣ ହୋଇଯିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଜୁଲାଇ ମାସ ଦ୍ୱିତୀୟ ସପ୍ତାହ ବିତିଯାଇଥିଲେ ମଧ୍ୟ କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇଛି। ଜୁନ୍‌ ମାସରେ ୩୧ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ଜୁଲାଇ ୧ରୁ ୧୩ତାରିଖ ମଧ୍ୟରେ ୩% ବର୍ଷା ପରିମାଣ କମିଛି। ଜୁନ୍‌ ୧ରୁ ଜୁଲାଇ ୧୩ତାରିଖ ମଧ୍ୟରେ ବର୍ଷାର ପରିମାଣ ୨୦.୩% କମ୍‌ ରହିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୩୫୯ମିମି ବର୍ଷା ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨୮୬.୧ ମିମି ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ନ ହୁଏ, ତେବେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିଯିବ। ଆସନ୍ତା ମାସକୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟପଟେ ରବିବାର କେବଳ ମାଲକାନଗିରିରେ ୧.୬ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସୋମବାର ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ନବରଙ୍ଗପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କେନ୍ଦୁଝରରେ କାଳବୈଶାଖୀ ସହ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେହିପରି ଆସନ୍ତା ୧୭ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ପୂର୍ବାନୁମାନ କରିଛି।