Categories: ଖେଳ

ଦୃଷ୍ଟିହୀନ କ୍ରିକେଟ୍‌ ସିରିଜ, ରମେଶଙ୍କ ଶତକ: ଭାରତର କ୍ଲିନ୍‌ ସୁଇପ୍‌

ଭୁବନେଶ୍ୱର, ୨୯।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଅତି ଚମତ୍କାର ପ୍ରଦର୍ଶନ ସହ ଏହାର ଜାମାଇକା ଅଭିଯାନ ଶେଷ କରିଛି। ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୦ ଉଇକେଟରେ ଜାମାଇକାକୁ ପରାସ୍ତ କରିଛି। ଫଳରେ ଏକଦିବସୀୟ ସିରିଜକୁ ୩-୦ରେ ଜିତିଥିବା ଭାରତ ଟି୨୦ ସିରିଜକୁ ୨-୦ରେ ଜିତି କ୍ଲିନ୍‌ ସୁଇପ୍‌ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଜାମାଇକା ଦୀପକ ମଲିକଙ୍କ ବୋଲିଂକୁ ଉପଯୁକ୍ତ ମୁକାବିଲା କରି ନ ପାରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୀପକ ନିଜର ପ୍ରଥମ ଏବଂ ମ୍ୟାଚ୍‌ର ଦ୍ୱିତୀୟ ଓଭରରେ ୩ ଉଇକେଟ ହାସଲ କରିବାରୁ ଜାମାଇକା ସ୍କୋର ୯/୩ ହୋଇଯାଇଥିଲା। ତେବେ ଗ୍ରେଗୋରି ଷ୍ଟିଓ୍ବାର୍ଟଙ୍କ ଅର୍ଦ୍ଧଶତକ ଏବଂ ଗ୍ରାହାମଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା। ଷ୍ଟିଓ୍ବାର୍ଟ ଓ ଗ୍ରାହାମ ୪ର୍ଥ ଉଇକେଟରେ ୧୧୩ ରନ୍‌ ସଂଗ୍ରହ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଷ୍ଟିଓ୍ବାର୍ଟ ୬୪ ବଲ୍‌ରୁ ୫୧* ଓ ଗ୍ରାହାମ ୪୭ ବଲରୁ ୩୨ ରନ୍‌ ସଂଗ୍ରହ କରିବାରୁ ଜାମାଇକା ୨୦ ଓଭରରେ ୬ ଉଇକେଟ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦୀପକ ୨୫ ରନ୍‌ ବିନିମୟରେ ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ଜବାବରେ ଭାରତ ୮.୫ ଓଭରରେ କୌଣସି ଉଇକେଟ ନ ହରାଇ ୧୪୯ ରନ୍‌ ସଂଗ୍ରହ କରିନେଇଥିଲା। ଶତକ ହାସଲ କରିଥିବା ସୁନୀଲ ରମେଶ ୪୦ ବଲ୍‌ରୁ ୧୦୧ ଏବଂ ଅଜୟ ୨୧ ବଲ୍‌ରୁ ୩୦ ରନ୍‌ କରି ଅପରାଜିତ ରହିଥିଲେ। ସୁନୀଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଭାରତୀୟ ଦଳ ୩୧ ଜୁଲାଇରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ। ପ୍ରକାଶଯୋଗ୍ୟ, ଭାରତୀୟ ଦଳରେ ୨ ଓଡ଼ିଆ ଖେଳାଳି ଜାଫର ଇକ୍‌ବାଲ ଏବଂ ପଙ୍କଜ ଭୁଏ ସାମିଲ ଥିଲେ।
ସଂକ୍ଷିପ୍ତ ସ୍କୋର
ଜାମାଇକା ୨୦ ଓଭରରେ ୧୪୭/୬ (ଷ୍ଟିଓ୍ବାର୍ଟ-୫୧*, ଗ୍ରାହାମ-୩୨, ଦୀପକ ମଲିକ-୪/୨୫)। ଭାରତ ୮.୫ ଓଭରରେ ୧୪୯/୦ (ସୁନୀଲ ରମେଶ-୧୦୧*, ଅଜୟ ରେଡ୍ଡୀ-୩୦*)।

Share