ଦୃଶ୍ୟମାନ ହେବ ୪ ଗ୍ରହ ମିଳନର ବିରଳ ଦୃଶ୍ୟ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): ଆକାଶରେ ୫ଦିନ ଧରି ଦେଖିବାକୁ ମିଳିବ ୪ ଗ୍ରହଙ୍କ ମିଳନର ବିରଳ ଦୃଶ୍ୟ। ୧୫, ୧୬, ୧୭ ତାରିଖରେ କ୍ରମାନ୍ବୟରେ ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହ ଚନ୍ଦ୍ରର ନିକଟତର ହେବେ। ପାଖାପାଖି ରହି ପ୍ରତିଦିନ ଭୋର୍‌ ସମୟରେ ଉତ୍ତର-ପୂର୍ବ ଦିଗ୍‌ବଳୟ ଉପରେ ଏକ ଘଣ୍ଟା ଧରି ଦୃଶ୍ୟମାନ ହେବେ, ଯାହାକୁ ସାଧାରଣ ଲୋକେ ଖାଲି ଆଖିରେ ଦେଖିପାରିବେ। ସେହିପରି ଶୁକ୍ର ଗ୍ରହ ଖୁବ୍‌ ଉଜ୍ଜ୍ୱଳ ହୋଇ ପଶ୍ଚିମ ଆକାଶର ସନ୍ଧ୍ୟା ସମୟରେ ୩ ଘଣ୍ଟା ଧରି ଏପ୍ରିଲ୍‌ ଶେଷ ପର୍ଯ୍ୟନ୍ତ ଦେଖାଯିବେ। ଅନ୍ୟପକ୍ଷରେ ୨୬ ଓ ୨୭ ତାରିଖରେ ଶୁକ୍ରର ଖୁବ୍‌ ପାଖରେ ବାଙ୍କୁଲି ଚନ୍ଦ୍ର ଦୃଶ୍ୟମାନ ହେବ। ଫଳରେ ଏହା ବହୁତ ସ୍ପଷ୍ଟ ଭାବେ ଦେଖାଯିବ। ଏହି ବିରଳ ତଥା ସୁନ୍ଦର ଦୃଶ୍ୟକୁ ସମସ୍ତେ ଦେଖବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।