ଦୂରାନ୍ତୁ ଝାଳ ଗନ୍ଧ…

ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ, ବିଭିନ୍ନ କାର୍ଯ୍ୟର ଚାପ ଏବଂ ଅବିରତ ପରିଶ୍ରମ ଯୋଗୁ ଅଧିକାଂଶ ମହିଳାଙ୍କଠାରେ ଝାଳ ବୋହିବା ଏକ ସାଧାରଣ କଥା। ହେଲେ କେବେ କେବେ ଏହା ଗନ୍ଧ ହୋଇଥାଏ, ଯାହାକି ପରବର୍ତ୍ତି ସମୟରେ ବିଭିନ୍ନ ଇନ୍‌ଫେକ୍ସନର କାରଣ ପାଲଟିଥାଏ। ଯଦି ଆପଣ ବି ଏଭଳି ସମସ୍ୟା ଭୋଗୁଛନ୍ତି ତେବେ ଏହାକୁ ଦୂର କରିବା ଲାଗି ଜାଣନ୍ତୁ ରଖନ୍ତୁ କିଛି ଘରୋଇ ଉପାୟ…

ପ୍ରଥମ କଥା ହେଉଛି ଝାଳ ଦେହରେ ଅଧିକ ସମୟ ରହିଗଲେ କିମ୍ବା ସୁଖି ନ ପାରିଲେ ସେଥିରେ ଜୀବାଣୁ ସୃଷ୍ଟି ହୋଇଯାଆନ୍ତି, ଯାହାକି ଗନ୍ଧ ହେବାର ମୁଖ୍ୟ କାରଣ। ତେଣୁ ସବୁବେଳେ ସିନ୍ଥେଟିକ୍‌ ପରିବର୍ତ୍ତେ କଟନ ବସ୍ତ୍ର ପିନ୍ଧନ୍ତୁ। ଏହା ଝାଳକୁ ଶୋଷିନିଏ ଫଳରେ ଦେହରେ ଝାଳ ଲାଗି କୁଣ୍ଡେଈ ହେବା ସମସ୍ୟା ହୋଇନ ଥାଏ।
ପ୍ରତିଦିନ ଗାଧାନ୍ତୁ। ଯଦି ଝାଳ ଅଧିକ ଗନ୍ଧଯୁକ୍ତ ହେଉଥାଏ ତେବେ ଗାଧେଇବା ଲାଗି ଆଣ୍ଟିବ୍ୟାକ୍ଟେରିଆଲ ସାବୁନ ବ୍ୟବହାର କରନ୍ତୁ।
ଅଧିକ ଝାଳ ବୋହୁଥିବା ସ୍ଥାନରେ ଏକ କଟନରେ ଆପୁଲ୍‌ ସାଇଡର୍‌ ଭିନେଗାର ନେଇ ଲଗାନ୍ତୁ। ଏଥିରେ ଥିବା ଆଣ୍ଟିମାଇକ୍ରୋବାୟାଲ୍‌ ଏବଂ ଏସିଡିଟି ଗୁଣ ବ୍ୟାକ୍ଟେରିଆ ହେବାକୁ ଦେଇ ନ ଥାଏ। ଯାହାଦ୍ୱାରା ଝାଳଗନ୍ଧ ହୋଇ ନ ଥାଏ।
ଗାଧେଇବା ପାଣିରେ କିଛି ବୁନ୍ଦା ଗୋଲପ ଜଳ ମିଶାନ୍ତୁ। ନଚେତ୍‌ ଆପଣ ଚାହିଁଲେ କିଛି ସୁଗନ୍ଧଯୁକ୍ତ ତେଲ ବି ପାଣିରେ ମିଶାଇ ଗାଧେଇ ପାରିବେ। ଏପରି କରିବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ସୁଗନ୍ଧ ଦେହରେ ରହିଥାଏ ଏବଂ ଝାଳ ଗନ୍ଧ ହେବାକୁ ଦିଏନାହିଁ।
ମୁଣ୍ଡ ଓ କେଶରୁ ଝାଳ ବାହାରି ଗନ୍ଧ ହେଉଥିଲେ ପାଣିରେ ଅଳ୍ପ ଲେମ୍ବୁରସ ଏବଂ ଗୋଲାପ ଜଳ ମିଶାଇ କେଶ ଧୋଇଦିଅନ୍ତୁ। ଏହା ଝାଳ ଗନ୍ଧ ଦୂର କରିବାରେ ସାହାଯ୍ୟ କରିବ।
ଝାଳ ହେଉଥିବା ସ୍ଥାନରେ କଞ୍ଚା ଆଳୁ ଖଣ୍ଡ ଘଷିଲେ ବି ଝାଳ ଗନ୍ଧ ଦୂର ହୋଇଥାଏ।