ଦୂରତା ଚିହ୍ନଟ କଲା ପୋଲିସ

ବଇଣ୍ଡା/ଆଠମଲ୍ଲିକ, ୨୬।୩ (ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କିଶୋରନଗର ବ୍ଲକ ବଇଣ୍ଡା, ହଣ୍ଡପା ଅଞ୍ଚଳରେ ଗୁରୁବାର ପୋଲିସ ପକ୍ଷରୁ ବିଭିନ୍ନ ଦୋକାନ ସମ୍ମୁଖରେ ଦୂରତା ଚିହ୍ନଟ କରାଯାଇଛି। ହଣ୍ଡପା ଥାନା ଏଏସ୍‌ଆଇ କୁନା ବାରିକ ବଇଣ୍ଡା ଛକର ଫଳ, ତେଜରାତି, ଓମ୍‌ଫେଡ ଦୋକାନ ସମ୍ମୁଖରେ ଏକ ମିଟର ଲେଖାଏ ଦୂରତାର ଚିହ୍ନ ଦେଇଛନ୍ତି। ଅନ୍ୟପକ୍ଷରେ ଆଠମଲ୍ଲିକ ବ୍ଲକ କନ୍ତପଡ଼ା ଓ ମଇମୁରା ପଞ୍ଚାୟତରୁ ୩୦ ଜଣ ଶ୍ରମିକ ତାମିଲନାଡୁରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଭାଜପା ନେତା ଭାଗୀରଥି ପ୍ରଧାନ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଠମଲ୍ଲିକ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳୁଛି। ନୟାଗଡ଼ ଜିଲା ସୋରଡ଼ା ଅଞ୍ଚଳର ୬ ଶ୍ରମିକ ପରିବାର ସହ ଏଠାରେ ଅଟକି ଯାଇଥିବାରୁ ସେମାନଙ୍କୁ ଘରକୁ ଫେରାଇ ନେବାରେ ପ୍ରଶାସନ ସହଯୋଗ କରିବାକୁ ଦାବି ହୋଇଛି।