Categories: ଖେଳ

ଦୁଲୀପ ଟ୍ରଫି: ଦ୍ୱିତୀୟ ଦିନର ଖେଳ ବାତିଲ

ବେଙ୍ଗାଲୁରୁ,୧୮।୮(ପି.ଟି.)- ସ୍ଥାନୀୟ ଜଷ୍ଟ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍‌ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫି ଉଦ୍‌ଘାଟନୀ ମ୍ୟାଚର ଦ୍ୱିତୀୟ ଦିନ ଖେଳ ବାତିଲ ହୋଇଛି। ଗତ ରାତିରେ ହୋଇଥିବା ପ୍ରବଳ ବର୍ଷା ଜନିତ ଓଦା ଗ୍ରାଉଣ୍ଡ କାରଣରୁ ଅପରାହ୍ନ ୨ଟାରେ ଖେଳକୁ ବାତିଲ କରାଯବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ରବିବାର ଗୋଟିଏ ହେଲେ ବି ବଲ୍‌ ବୋଲିଂ କରାଯାଇ ପାରି ନ ଥିଲା।
ଶନିବାର ପ୍ରଥମ ଦିବସରେ ଗ୍ରୀନ୍‌ ଅଧିନାୟକ ଫଏଜ ଫଜଲ ଟସ୍‌ ଜିତି ବ୍ଲୁ’କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମ ଦିନରେ ବ୍ଲୁ ବ୍ୟାଟିଂ ଆରମ୍ଭ କରି ୪୯ ଓଭରରେ ୬ ଉଇକେଟ ହରାଇ ୧୧୨ ରନ୍‌ ସଂଗ୍ରହ କରିଥିଲା। ଖରାପ ପାଗ ଯୋଗୁ ପ୍ରଥମ ଦିବସରେ ସମ୍ପୂର୍ଣ୍ଣ ଖେଳ ସମ୍ଭବପର ହୋଇ ନ ଥିଲା। ଦଳ ପକ୍ଷରୁ ଓପନର୍‌ ରୁତୁରାଜ ଗାଏକ୍ୱାଡ ସର୍ବାଧିକ ୩୦ ରନ୍‌ କରିଥିବାବେଳେ ଅନ୍‌ମୋଲପ୍ରୀତ୍‌ ସିଂ ୧୪, ଜଲଜ ସକ୍ସେନା ୧୯ ଓ ଅଙ୍କିତ ବାଓ୍ବନେ ଅପରାଜିତ ୨୧ ରନ୍‌ କରିଛନ୍ତି। ଉଇକେଟ୍‌କିପର ସ୍ନେଲ ପଟେଲ (୫), ଅଧିନାୟକ ଗିଲ୍‌ (୬) ଓ ରିକି ଭୁଇ (୨) ଦୁଇ ଅଙ୍କ ଛୁଇଁପାରି ନାହାନ୍ତି। ଗ୍ରୀନ୍‌ ପକ୍ଷରୁ ଡାହାଣହାତୀ ଦ୍ରୁତ ବୋଲର ଇଶାନ ପୋରେଲ ୩, ତନବୀର ଉଲ୍‌-ହକ୍‌ ୨ ଓ ଅଙ୍କିତ ରାଜପୁତ ଗୋଟିଏ ଉଇକେଟ୍‌ ଅକ୍ତିଆର କରିଛନ୍ତି।

Share