Categories: ଖେଳ

ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ- ରେଡ୍‌ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୧।୯(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଇଣ୍ଡିଆ ଗ୍ରୀନ୍‌ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଅନୁଷ୍ଠିତ ୪ ଦିନିଆ ଦୁଲୀପ ଟ୍ରଫି କ୍ରିକେଟ ମ୍ୟାଚ୍‌ ରବିବାର ଅମୀମାଂସିତ ଭାବେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସରେ ମାତ୍ର ୧ ରନର ଅଗ୍ରଣୀ ହାସଲ କରିଥିବାରୁ ରେଡ୍‌ ୩ ପଏଣ୍ଟ ହାସଲ କରିଥିବା ବେଳେ ଗ୍ରୀନକୁ ୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି। ପ୍ରଥମ ଇନିଂସରେ ୧୨୬ ରନର ଶତକୀୟ ପାଳି ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିବା ରେଡ୍‌ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ମହିପାଲ ଲୋମରର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରି ଗ୍ରୀନ୍‌ ପ୍ରଥମ ଇନିଂସରେ ୧୩୧.୩ ଓଭରରେ ୪୪୦ ରନ କରି ଅଲଆଉଟ ହୋଇଥିଲା। ଜବାବରେ ରେଡ୍‌ କରୁଣ ନାୟାରଙ୍କ ୯୦ରନର ଅର୍ଦ୍ଧଶତକୀୟ ପାଳି, ଲୋମରରଙ୍କ ଶତକ ଓ ଟେଲଏଣ୍ଡର ଆଭେସ ଖାଁଙ୍କ ଉପଯୋଗୀ ଦ୍ରୁତ ୬୪ ରନର ଅର୍ଦ୍ଧଶତକୀୟ ପାଳି ବଳରେ ପ୍ରଥମ ଇନିଂସରେ ୧୪୫.୩ ଓଭରରେ ୪୪୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ରେଡ ୧ ରନର ଅଗ୍ରଣୀ ହାସଲ କରିଥିଲା।
ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଗ୍ରୀନ୍‌ ମ୍ୟାଚ୍‌ ଶେଷ ହେବା ବେଳକୁ ୫୪ ଓଭରରେ ୩ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା। ଧ୍ରୁବ ସୋରେ ୪୪ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦେକର ୧୪ ରନ କରି ଅପରାଜିତ ରହିଥିଲେ। ଓପନର ତଥା ଅଧିନାୟକ ଫୈଜ ଫଜଲ ୧୧, ଆକାଶନାଥ ରେଡ୍ଡୀ ୪, ସିଦ୍ଧେଶ ଲାଡ ୨୦ ରନ କରି ଆଉଟ ହୋଇଥିଲେ। ବୋଲିଂରେ ରେଡ୍‌ ତରଫରୁ ଜୟଦେବ ଉନାଡ଼କଟ, ଅକ୍ଷୟ ଓ୍ବାଖରେ ଓ ଆଦିତ୍ୟ ସରାଓ୍ବତ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ତୃତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୪୦୪ /୯ରୁ ଖେଳ ଆରମ୍ଭ କରି ରେଡ୍‌ ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଭେସ ଖାଁ ୩୪ ରନରୁ ଖେଳ ଆରମ୍ଭ କରି ୫୬ଟି ବଲରୁ ୨ ଚୌକା ଓ ୭ ଛକା ସହ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ସନ୍ଦୀପ ଓ୍ବାରିୟର ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଗ୍ରୀନ୍‌ ତରଫରୁ ଧର୍ମେନ୍ଦ୍ରସିନ୍‌ ଜାଡେଜା ସର୍ବାଧିକ ୪, ଅଙ୍କିତ୍‌ ରାଜପୁତ ୩, ତନବିର ଉଲ ହକ ୨ ଓ ରାହୁଲ ଚହର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଇନିଂସରେ ଗ୍ରୀନ୍‌ ତରଫରୁ ଆକାଶନାଥ ରେଡ୍ଡୀ ୧୪୬ ରନର ଶତକୀୟ ପାଳି ଖେଳିଥିଲେ ଓ ରେଡ ତରଫରୁ ଅକ୍ଷୟ ଓ୍ବାଖରେ ସର୍ବାଧିକ ୫ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଇନିଂସ- ୧୩୧.୩ ଓଭରରେ ୪୪୦ ଅଲଆଉଟ।
ଇଣ୍ଡିଆ ରେଡ ପ୍ରଥମ ଇନିଂସ- ୧୪୫.୩ ଓଭରରେ ୪୪୧ ଅଲଆଉଟ।
(ମହିପାଲ ଲୋମରର- ୧୨୬, କରୁଣ ନାୟାର- ୯୦, ଆଭେସ ଖାଁ- ୬୪, ଧର୍ମେନ୍ଦ୍ରସିନ ଜାଡେଜା- ୪/୧୩୫, ଅଙ୍କିତ୍‌ ରାଜପୁତ- ୩/୭୧, ତନବୀର ଉଲ ହକ- ୨/୧୯)।
ଇଣ୍ଡିଆ ଗ୍ରୀନ୍‌ ଦ୍ୱିତୀୟ ଇନିଂସ- ୫୪ ଓଭରରେ ୯୮/୩
(ଧ୍ରୁବ ସୋରେ- ୪୪*, ଅକ୍ଷୟ ଓ୍ବାଦେକର- ୧୪, ଜୟଦେବ ଉନାଡକଟ- ୧/୮, ଅକ୍ଷୟ ଓ୍ବ୍‌ାଖରେ – ୧/୩୫, ଆଦିତ୍ୟ ସରାଓ୍ବତ- ୧/୧୬ )।

Share