Categories: ଖେଳ

ଦୁଲୀପ୍‌ ଟ୍ରଫି ଫାଇନାଲ: ଇଶାନଙ୍କ ଉପରେ ନଜର

ବେଙ୍ଗାଲୁରୁ, ୩।୯ (ପି.ଟି.)- ଘରୋଇ କ୍ରିକେଟ୍‌ର ଅନ୍ୟତମ ସମ୍ମାନଜନକ କ୍ରିକେଟ୍‌ ପ୍ରତିଯୋଗିତା ଦୁଲୀପ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଏମ୍‌. ଚିନ୍ମସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍‌କୁ ଭେଟିବ। ପୂର୍ବରୁ ରାଉଣ୍ଡ-ରବିନ ପର୍ଯ୍ୟାୟ ୪ ଦିବସୀୟ ହୋଇଥିବାବେଳେ ଫାଇନାଲ ମ୍ୟାଚ୍‌ ଆଉ ଗୋଟିଏ ଦିନ ଅଧିକା ଅନୁଷ୍ଠିତ ହେବ। ସେହିଭଳି ଏହା ଦିବାରାତ୍ର ବିଶିଷ୍ଟ ଓ ପିଙ୍କ୍‌ ବଲରେ ଖେଳାଯିବ। ମ୍ୟାଚ୍‌ର ସିଧାପ୍ରସାରଣ ହେବ ବୋଲି ଜଣାପଡ଼ିଛି। ରାଉଣ୍ଡ-ରବିନ ପର୍ଯ୍ୟାୟରେ ଇଣ୍ଡିଆ ରେଡ୍‌ ୨ ମ୍ୟାଚ୍‌ ଖେଳି ୨ଟି ଯାକ ଡ୍ର’ ରଖିଥିଲା। କିନ୍ତୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଦଳ ୬ ପଏଣ୍ଟ ପାଇ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫୈଜ ଫଜଲଙ୍କ ଇଣ୍ଡିଆ ଗ୍ରୀନ୍‌ ଦଳ ଇନିଂସ ପଛୁଆ ଥାଇ ୨ ମ୍ୟାଚ୍‌ ଡ୍ର ରଖିଥିଲେ ମଧ୍ୟ ରନ୍‌ରେଟ୍‌ ଭିତ୍ତିରେ ଇଣ୍ଡିଆ ବ୍ଲୁ’କୁ ପଛରେ ପକାଇ ଫାଇନାଲ ଟିକେଟ୍‌ ହାସଲ କରିଥିଲା। ଇଣ୍ଡିଆ ରେଡ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୨୧ ବର୍ଷୀୟ ଝାଡ଼ଖଣ୍ଡ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କ ଉପରେ ଏହି ମ୍ୟାଚରେ ସମସ୍ତଙ୍କ ନଜରରେ ରହିବେ। ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଚାଲିଥିବା ସୀମିତ ଓଭର ସିରିଜରେ ଇଶାନ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ନଜରରେ ରହିଛନ୍ତି।

ସୁଯୋଗ ଅପେକ୍ଷାରେ ରାଜେଶ ମହାନ୍ତି
ଇଣ୍ଡିଆ ଗ୍ରୀନ ଦଳରେ ଓଡ଼ିଆ କ୍ରିକେଟର୍‌ ରାଜେଶ ମହାନ୍ତି ସ୍ଥାନ ପାଇଛନ୍ତି। କିନ୍ତୁ ଏହି ଡାହାଣହାତୀ ଦ୍ରୁତ ବୋଲର ପ୍ରଥମ ୨ଟି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଥିଲେ। ତେଣୁ ଫାଇନାଲ ମ୍ୟାଚ୍‌ରେ ସୁଯୋଗ ଅପେକ୍ଷାରେ ରହିଛନ୍ତି ରାଜେଶ।

Share