ଦୁର୍ବୃତ୍ତଙ୍କ ଆକ୍ରମଣରେ ତହଁର ପୂର୍ବତନ ସରପଞ୍ଚ ଗୁରୁତର

ଶେରଗଡ଼,୧୧ା୯(ଡି.ଏନ୍‌.ଏ.): ତହଁର ପୂର୍ବତନ ସରପଞ୍ଚ ପଦ୍ମ ଚରଣ ପାଢ଼ୀ ବୁଧବାର ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ପଦ୍ମଙ୍କ ପୁତୁରା ଏନେଇ ହିଞ୍ଜିଳି ଥାନାରେ ଏତଲା ଦେଇଛନ୍ତି। ପୋଲିସ ନଂ.୨୩୬/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ବୁଧବାର ଭୋରରେ ପଦ୍ମ ଘର ବାଡ଼ିପଟେ ଥିବା ପାଇଖାନାକୁ ଯାଉଥିଲେ। ପୂର୍ବରୁ ଛପି ରହିଥିବା ୪ଜଣ ଦୁର୍ବୃତ୍ତ ତାଙ୍କୁ ହଠାତ୍‌ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପଦ୍ମ ପାଟି କରିବାରୁ ତାଙ୍କ ଭାଇ ତ୍ରିଲୋଚନ ଉଠି ଘଟଣାସ୍ଥଳକୁ ଆସିଥିଲେ। ଦୁର୍ବୃତ୍ତମାନେ ତ୍ରିଲୋଚନଙ୍କୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ପଦ୍ମଙ୍କୁ ପରିବାର ଲୋକେ ପ୍ରଥମେ ହିଞ୍ଜିଳିକାଟୁ ଓ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲଲକୁ ନେଇଛନ୍ତି। ବୁଧବାର ସନ୍ଧ୍ୟାରେ ପଦ୍ମଙ୍କ ପୁତୁରା ହିଞ୍ଜିଳି ଥାନାରେ ଏତଲା ଦେଇଛନ୍ତି। ପୋଲିସ ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବ ଅନୁମାନ କରୁଛି। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ୨ଟି ବାଇକରେ ଫେରାର ହୋଇଯାଇଥିବାବେଳେ ଏହାର ନମ୍ବରକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି।