ଦୁର୍ବଳ ନଦୀବନ୍ଧ ମରାମତି ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୭।୫-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତ୍ତିକ ବିପର୍ଯ୍ୟୟ କମିଟି ଓ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲାପାଳ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଏବଂ ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁକୁ ଆଖିରେ ରଖି ଜିଲାକୁ କିପରି ଭାବେ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ ସେନେଇ ଏଥିରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦୁର୍ବଳ ନଦୀବନ୍ଧ ଚିହ୍ନଟ ଏବଂ ମରାମତି, କେନାଲ ମରାମତି, ଡ୍ରେନେଜ ସଫେଇ ଆଦି ଉପରେ ଅଧିକାରୀମାନେ ସୂଚନା ଦେଇଥିଲେ। ବନ୍ୟାଜଳ ଅବାଧରେ ଯେପରି ନିଷ୍କାସନ ହୋଇପାରିବ ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ବାହୀଯନ୍ତ୍ରୀ ଡ୍ରେନେଜ ଡିଭିଜନକୁ କହିଛନ୍ତି। ବନ୍ୟା ବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ବିଡିଓ ଓ ତହସିଲଦାରମାନେ ମିଳିତ ଭାବେ ନିଜର ଦାୟିତ୍ୱ ସମ୍ପାଦନ କରିବେ ବୋଲି କୁହାଯାଇଛି। ବର୍ତ୍ତମାନ ଜିଲାରେ ୧୨୮ଟି ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି। ସେଥିମଧ୍ୟରୁ କିଛି ଆଶ୍ରୟସ୍ଥଳୀ ବର୍ତ୍ତମାନ କ୍ୱାରାଣ୍ଟାଇନ ସେଣ୍ଟର ଭାବେ ବ୍ୟବହୃତ ହେଉଥିବାରୁ ଏଥିପାଇଁ ଅନ୍ୟତ୍ର ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାର ବନ୍ୟାପ୍ରବଣ ସ୍ଥାନଗୁଡ଼ିକରେ ଆଗୁଆଭାବେ ମୋଟର ବୋଟ, ଦେଶୀ ଡଙ୍ଗା, ଉଦ୍ଧାରକାରୀ ଡଙ୍ଗା ମୁତୟନ ପାଇଁ ବ୍ୟବସ୍ଥା କରିବା ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଡାଛଡା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଓଭରହେଡ୍‌ ପାଣିଟାଙ୍କି ମରାମତି ଲାଗି ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗ ଗୃହପାଳିତ ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟ ପ୍ରତି ଚିକିତ୍ସାସେବା ଯୋଗାଇଦେବା ପାଇଁ କୁହାଯାଇଛି । ନେସକୋ ତରଫରୁ ବିଦ୍ୟୁତ ସରବରାହକୁ ବ୍ୟବସ୍ଥିତ କରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ଓସଡ଼ାମା ଅଧିକାରୀ ଅବନୀକାନ୍ତ ଭୂୟାଁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

୧-ବାଲେଶ୍ୱର-ଗୁରୁବାର- ବୈଠକରେ ଉପସ୍ଥିତ ଅଧିକାରୀ ଗଣ