ଦୁର୍ନୀତି ପ୍ରହାର: ୫ ଅଧିକାରୀ ବିଦା

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଦୁର୍ନୀତି ମାମଲାରେ ଜଡିତ ୫ଜଣ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚାକିରିରୁ ଆଗୁଆ ଅବସର ଦିଆଯାଇଥିବା ବେଳେ ଜଣଙ୍କୁ ବହିଷ୍କାର କରାଯାଇଛି। ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ସେହି ଅଧିକାରୀମାନଙ୍କ ବିରୋଧରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ବସନ୍ତ କୁମାର ବେହେରା, ଅବକାରୀ ବିଭାଗର ଡେପୁଟି କମିଶନର ଦିଲୀପ କୁମାର ନାଗ, ଉପବନସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ସହକାରୀ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝିଙ୍କୁ ଚାକିରିରୁ ଆଗୁଆ ଅବସର ଦିଆଯାଇଛି । ସେହିପରି କୋମନା ବ୍ଲକର ପୂର୍ବତନ ବିଡିଓ ତଥା ବର୍ତ୍ତମାନର ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲଦାର ପ୍ରଦୀପ କୁମାର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେହି ଅଧିକାରୀମାନଙ୍କୁ ଗିରଫ କରିଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୂଆପଡା ଜିଲା କୋମନା ବ୍ଲକର ପୂର୍ବତନ ବିଡିଓ ତଥା ମୟୂରଭଞ୍ଜ ଜିଲାର କପ୍ତିପଦା ତହସିଲଦାର ପ୍ରଦୀପ କୁମାର ବେହେରା ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହୋଇଛନ୍ତି। ୨୦୦୮ରେ ତାଙ୍କ ନାମରେ ଭିଜିଲାନ୍ସ କେସ କରାଯାଇଥିଲା। ସେହିପରି ଅବକାରୀ ବିଭାଗର ଡେପୁଟି କମିଶନର ଦିଲୀପ କୁମାର ନାଗ ଆୟ ବହିର୍ଭୂତ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ୨୦୧୨ରୁ ୨୦୧୫ ଯାଏ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ବସନ୍ତ କୁମାର ବେହେରା ମଧ୍ୟ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୨୦୧୮ରେ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ୩ କୋଟି ୬୧ ଲକ୍ଷ ୧୯ ହଜାର ୨୨୬ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ନୂଆପଡା ଜିଲାର ଖରିଆର ବନଖଣ୍ଡରେ ଉପବନସଂରକ୍ଷକ ଭାବେ ନିଯୁକ୍ତି ପାଇଥିବା ଶରତ ଚନ୍ଦ୍ର ପଣ୍ଡା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ୨୦୧୭ରେ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ୫ କୋଟି ୨୩ ଲକ୍ଷ ୬୦ ହଜାର ୭୮ କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଭିଜିଲାନ୍ସ ଠାବ କରିଥିଲା। ସହକାରୀ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ସହ ଅସାଧୁ ମିଲରମାନଙ୍କୁ ଅନୁକମ୍ପା ଦେଖାଇବା ଏବଂ ଗତ ଫନୀ ବାତ୍ୟା ସମୟରେ ନିଜର କର୍ତ୍ତବ୍ୟ ପାଳନ କରି ନ ଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।