ଦୁର୍ଦ୍ଦିନରେ ୪୦ବୁଣାକାର ପରିବାର

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ମହରାପଡାରେ ବାସ କରନ୍ତି ୪୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର। ଲୁଗା ବୁଣି ସେମାନେ କାହିଁ କେଉଁ କାଳରୁ ନାନା ପ୍ରତିକୂଳତା ମଧ୍ୟରେ ଜୀବିକା ନିର୍ବାହ କରୁଥିଲେ। ଏବେ କରୋନା ସେମାନଙ୍କ ପାଇଁ ଆଣିଛି ଦୁର୍ଦ୍ଦିନ। ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ସାରା ଦେଶରେ ଲକ୍‌ଡାଉନ ଜାରି ହୋଇଛି। ଏଥିଯୋଗୁ କଞ୍ଚାମାଲ ସଂଗ୍ରହ ଓ ବିକ୍ରି ନେଇ ସେହି ବୁଣାକାରମାନେ ଅସୁବିଧାରେ ପଡିଯାଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଦୁଇଓଳି ଖାଦ୍ୟ ସଂଗ୍ରହ ସେମାନଙ୍କ ପାଇଁ କାଠିକର ପାଠ ହୋଇ ଯାଇଛି। ବିଭିନ୍ନ ବର୍ଗ ଓ ସମାଜର ଦରିଦ୍ର ଶ୍ରେଣୀର ଲୋକଙ୍କୁ ସରକାର କରୋନା ସହାୟତା ଯୋଗାଇ ଦେଉଥିବା ବେଳେ ଅଦ୍ୟାବଧି ସେମାନଙ୍କୁ କିଛି ମିଳିନାହିଁ। ବୁଣାକାର ବିଶ୍ୱନାଥ ମହରାଙ୍କ କହିବା ଅନୁସାରେ ସେମାନଙ୍କର ଜମିବାଡି ବୋଲି କିଛି ନାହିଁ। ବଜାରରୁ ସୂତା କିଣି ଆଣିଲା ପରେ ପରିବାରର ସମସ୍ତେ ମିଶି ଲୁଗା ବୁଣିଥାଉ। ସପ୍ତାହକୁ ଅତିବେଶିରେ ସମ୍ବଲପୁରୀ ଓ କୁଲୀ ଶାଢି ୨ଟି ଶାଢୀ ବୁଣିଥାଉ। ଏଥିସହିତ ଗାମୁଛା ଓ କପଡା ପ୍ରସ୍ତୁତ କରିଥାଉ। ସ୍ଥାନୀୟ ସାପ୍ତାହିକ ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରିଥାଉ। ହେଲେ ଲକ୍‌ଡାଉନ ପରେ ଦୋକାନ ବଜାର ବନ୍ଦ ରହିଥିବାରୁ ବୁଣିଥିବା ସାମଗ୍ରୀ ଘରେ ପଡି ରହିଛି। ସୂତା ଓ ଅନ୍ୟାନ୍ୟ କଞ୍ଚାମାଲ ସଂଗ୍ରହ ବି ସମ୍ଭବ ହେଉନାହିଁ। ଏହି ପରିସ୍ଥିତିରେ ଏବେ ଆମେ କିପରି ବଞ୍ଚିବୁ ବୋଲି ସେ କହିଛନ୍ତି। ଅନ୍ୟ ଶ୍ରମଜୀବୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଥିବାବେଳେ ସ୍ବଳ୍ପ ଆୟ କରି ବଞ୍ଚୁଥିବା ବୁଣାକାରମାନଙ୍କୁ ସହାୟତା ଯୋଗାଇଦେବାକୁ ବିଶ୍ୱନାଥ ମହରା, ସଞ୍ଜୟ ମହରା, ଅନିରୁଦ୍ଧ ମହରା, ଦୈତାରୀ ମହରା, ମାନସ ମହରା, ପ୍ରମୁଖ ଦାବି କରିଛନ୍ତି।