ଦୁର୍ଦ୍ଦିନରେ ଖବରକାଗଜ ବିତରକ: ସହାୟତା ଦାବିରେ ଜିଲାପାଳଙ୍କ ନିକଟରେ ଫେରାଦ

ବରଗଡ଼ ଅଫିସ,୬।୬: ଘାତକ କରୋନା (କୋଭିଡ -୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ଏଥିରେ ଖବରକାଗଜ ବିତରକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି । ଖବରକାଗଜ ବିତରଣ ପୂର୍ବଭଳି କାର୍ଯ୍ୟ କରି ପାରୁ ନ ଥିବା ଯୋଗୁ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡିଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବରଗଡ଼ ସହରର ଖବରକାଗଜ ବିତରକମାନେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ଖବରକାଗଜ ବିତରକମାନେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମାସିକ ୭୫୦୦ ଟଙ୍କା ସହାୟତା ସହିତ ପେନ୍‌ଶନ ପ୍ରଦାନ ଏବଂ ବୀମା ପ୍ରଦାନ ଲାଗି ସେମାନେ ଦାବି କରିଛନ୍ତି। ଖବରକାଗଜ ବିତରକଙ୍କ ମଧ୍ୟରେ ରମେଶ ଦାସ, ଦେବ ନାରାୟଣ ଦାଶ, ଜୟ ପ୍ରକାଶ କୁମ୍ଭାର, ରାଜ କୁମାର ବଳଛୋର, ସମ୍ପଦ କଲେତ, ଯୋଗିନ୍ଦ୍ର ସାହୁ, ଦୁର୍ଗା ମିଶ୍ର, ରାଜୀବ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।