ପୋଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ୍‌

ବରଗଡ଼ ଅଫିସ,୨୬।୯: ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି, ଲୁଟ୍‌ ଭଳି ଅନେକ ଅପରାଧରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଲାଙ୍ଗୀର ସଦର ଥାନା ଡୁଡୁକାସିରା ନିବାସୀ ଅମିତ୍‌ ଦାସ ଓରଫ ଚିଣ୍ଟୁଙ୍କୁ ବରଗଡ଼ ଜିଲା ପୋଲିସ ଗିରଫ କରିଛି। ଜିଲାର ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା ନିକଟରୁ ବୁଧବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଏକ ବନ୍ଧୁକ, ଗୋଟିଏ ବାଇକ, ୨ଟି ଗୁଳି ଜବତ କରିଛି। ଏ ନେଇ ଅମ୍ବାଭୋନା ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁରୁବାର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ଅମିତ୍‌ ଏକ ବାଇକ୍‌ ଯୋଗେ ଛତିଶଗଡ଼ ପଟକୁ ଯାଉଥିବା ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ପୋଲିସର ଏକ ଟିମ୍‌ ସମ୍ବରଧରା ନିକଟରେ ରହିଥିଲା । ଅମିତ୍‌ ସେହି ପୋଲିସ ଟିମ୍‌କୁ ଦେଖି ଗୁଳି ଫୁଟାଇଥିଲେ। ମାତ୍ର କୌଶଳକ୍ରମେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଅଭିଯୁକ୍ତ ଗତ କିଛିଦିନ ତଳେ ଛତିଶଗଡ଼ ରାଜ୍ୟ ବିଳାସପୁର ଜେଲରୁ ବାହାରିଥିଲେ । ସେ କିଛିଦିନ ହେଲା ବରଗଡ଼ରେ ରହୁଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ପି ସାହୁ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା ମଧ୍ୟ ଉପସ୍ଥିତ ଥିଲେ।