Categories: ବାଣିଜ୍ୟ

ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୨-୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ ଇଏମ୍‌ଆଇ ଭରିବା ବଦଳରେ ଓଲା ଓ ଉବର କ୍ୟାବ୍‌ରେ ଯିବାକୁ ପସନ୍ଦ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବଜାଜ ଅଟୋ ଏମ୍‌ଡି ରାଜୀବ ବଜାଜଙ୍କର ଏ କ୍ଷେତ୍ରରେ ଭିନ୍ନ ମତ ରହିଛି। ସେ କହିଛନ୍ତି ଯେ, ଅତ୍ୟଧିକ ଉତ୍ପାଦନ ଯୋଗୁ ଗାଡ଼ି ଗଦା ହେବା ଏବଂ କେତେକ ପରିମାଣରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟରରେ ସଙ୍କଟଗ୍ରସ୍ତ ହୋଇଛି। ଏଥିପାଇଁ ଅଟୋ ସେକ୍ଟର ନିଜେ ଦାୟୀ ବୋଲି ସେ କହିଛନ୍ତି। ତାଙ୍କ ମତରେ ଜିଏସ୍‌ଟି ହାର ହ୍ରାସ ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ଆସନ୍ତା ୨୦ରେ ଜିଏସ୍‌ଟି କାଉନସିଲ୍‌ର ବୈଠକରେ ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହାର ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ବଜାଜ୍‌ଙ୍କ କହିବାନୁଯାୟୀ, ଅଟୋ ଶିଳ୍ପ ବିଏସ୍‌-୬ ମାନଦଣ୍ଡ ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ନଭେମ୍ବର ସୁଦ୍ଧା ସଙ୍କଟ ଶେଷ ହୋଇଯିବ। ସେ କହିଛନ୍ତି ଯେ, ଏଭଳି କୌଣସି ଶିଳ୍ପ ନାହିଁ ଯାହା କେବେ ନିମ୍ନଗାମୀ ହୁଏନାହିଁ। ଏହା ସର୍ବଦା ଗୋଟିଏ ବେଗରେ ଯାଉଥିବାର କେବେ ହେଲେ ଦେଖାଯାଇନାହିଁ। ଉଲ୍ଲେଖ କରାଯାଇପାରେ ଯେ, ବଜାଜ୍‌ ଅଟୋ ଦେଶର ତୃତୀୟ ସର୍ବବୃହତ ବାଇକ ନିର୍ମାତା ଭାବେ ପରିଗଣିତ। ଏହା ଉତ୍ପାଦନ କରୁଥିବା ମୋଟ ଗାଡ଼ିର ଅଧା ରପ୍ତାନି କରିଥାଏ। ତେବେ ରାଜୀବ ବଜାଜ କହିଛନ୍ତି ଯେ, ଜୁଲାଇ ଓ ଅଗଷ୍ଟରେ କମ୍ପାନୀର ଗାଡ଼ି ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଆର୍ଥିକ ନୀତି କାରଣରୁ ୫-୭ ପ୍ରତିଶତ ଅଧିକ ହ୍ରାସ ଦେଖାଯାଇଛି। ସେ କହିଛନ୍ତି ଯେ, ସବୁ ଉଦ୍ୟୋଗର ଏକ ଚକ୍ର ରହିଛି। ଅଭିବୃଦ୍ଧି ଓ ହ୍ରାସ ସମାନ ଭାବେ ହୋଇଥାଏ। କେବେ ସୁଦ୍ଧା ଅଟୋମୋବାଇଲ ସେକ୍ଟରରେ ସୁଦିନ ଫେରିବ କହିହେବ ନାହିଁ। ତେବେ ତାଙ୍କ ମତରେ ଏଥିପାଇଁ ବର୍ଷେ କିମ୍ବା ଦୁଇ ବର୍ଷ ଲାଗିଯାଇପାରେ। ସେ କହିଛନ୍ତି ଯେ, ଅଟୋ ଶିଳ୍ପ ବେଳେ ବେଳେ କିଛି ନ ଭାବି ଗୋଟି ଚଳାଇଦିଏ। ଭବିଷ୍ୟତର ଅନୁମାନ ପ୍ରତି ଧ୍ୟାନ ନ ଦେଇ ଉତ୍ପାଦନ ବଢ଼ାଇ ଚାଲେ। ବର୍ତ୍ତମାନ ସେଭଳି ସ୍ଥିତି ଦେଖାଦେଇଛି। ଅଟୋ ସେକ୍ଟରରେ ଜିଏସ୍‌ଟି ହାରକୁ ୨୮ରୁ ୧୮%କୁ ହ୍ରାସ ପାଇଁ ଦାବି ହେଉଥିବାକୁ ନେଇ ବଜାଜ କହିଛନ୍ତି ଯେ, ଏହାଦ୍ୱାରା ଡିଲରଙ୍କ ଅର୍ଥ ଫଶିଯିବ। ତାଙ୍କର କହିବାନୁଯାୟୀ, ଡିଲରମାନେ ଇତିମଧ୍ୟରେ ଅଧିକ ଜିଏସ୍‌ଟି ଦେଇସାରିଛନ୍ତି। ଜିଏସ୍‌ଟି ହାର ହ୍ରାସ ପାଇଲେ ଲୋକେ ଶସ୍ତାରେ ଗାଡ଼ି କିଣିବାକୁ ଚାହିଁବେ। ଏହାଦ୍ୱାରା ଡିଲରଙ୍କୁ କ୍ଷତି ସହିବାକୁ ପଡିବ। ଜିଏସ୍‌ଟି ହାର ହ୍ରାସ କେବଳ ବିଏସ୍‌-୬ ଗାଡ଼ିରେ ସୀମିତ ରହିବା ଆବଶ୍ୟକ ବୋଲି ବଜାଜ କହିଛନ୍ତି।

Share