ଦୁର୍ଘଟଣା ବଢ଼ାଉଛି ଜାତୀୟ ରାଜପଥରେ ଗାଡ଼ି ପାର୍କିଂ

ଚଣ୍ଡିଖୋଲ,୧୩।୧୦(ଡି.ଏନ.ଏ)- ୧୬ନଂ. ଜାତୀୟ ରାଜପଥର ଛତିଆ ନିକଟରେ ବେଆଇନଭାବେ ରାଜପଥ ଉପରେ ଗାଡ଼ିଗୁଡ଼ିକ ଠିଆହୋଇ ରହିବା ଯୋଗୁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଯାଜପୁର ଜିଲା ବୈରୀ ଥାନା ଛତିଆସ୍ଥିତ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବେଆଇନଭାବେ ଶତାଧିକ ଅସ୍ଥାୟୀ ଦୋକାନ ଖୋଲିଛି। ଏହି ଦୋକାନଗୁଡ଼ିକ ଜାତୀୟ ରାଜପଥ କଡ଼ରେ ଖୋଲିଥିବା ହେତୁ ଦିନତମାମ ଏପରିକି ରାତି ସମୟରେ ମଧ୍ୟ ଚାରି ଚକିଆ ଗାଡ଼ି ଜାତୀୟ ରାଜପଥ ଉପରେ ଠିଆହୋଇ ରହୁଛି। ସେଠାରେ ବହୁ ସଂଖ୍ୟାରେ ଚା, ପାନ ଓ ଜଳଖିଆ ଦୋକାନ ଖୋଲାହୋଇଛି। ଯେଉଁଥିପାଇଁ କାର, ଟ୍ରକ୍‌, ବସ୍‌ ଆଦି ବଡ଼ବଡ଼ ଯାନ ରାସ୍ତା ଉପରେ ରଖି ଦୋକାନୀଙ୍କଠାରୁ ସଉଦା କିଣିବା ସହ ଚା ଓ ଜଳଖିଆ କରୁଛନ୍ତି। ସେଥିପାଇଁ ଏହି ଛକର ମୋଡ଼ାଣିଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଛତିଆ ଛକଠାରୁ ଭାଟିଆ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥଟି ତିନି ବାଙ୍କ ହୋଇଥିବାରୁ ଦୂରରୁ ଆସୁଥିବା ଗାଡ଼ିଗୁଡ଼ିକୁ ଲୋକେ ଦେଖିପାରୁ ନାହାନ୍ତି। ଏପରିକି ମୋଟର ସାଇକେଲ ଆରୋହୀମାନେ ଏହି ଛକ ନିକଟରେ ରାସ୍ତା ଅତିକ୍ରମ କଲାବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ଛତିଆ ମନ୍ଦିର ପାର୍ଶ୍ୱକୁ ଯିବା ପାଇଁ ଭାଟିଆ ନିକଟରେ ରାସ୍ତାରେ କଟିଂ ରହିଛି। ଏହି କଟିଂ ଅତିକ୍ରମ କରିବା ସମୟରେ ଅଧିକାଂଶ ସମୟ ଦୁର୍ଘଟଣା ହେବା ହେତୁ ବହୁ ଜୀବନ ଗଲାଣି। ବର୍ଷେ ତଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ଦୋକାନଗୁଡ଼ିକୁ ସେଠାରୁ ଭାଙ୍ଗି ଦେଇଥିଲେ। ସେଥିପାଇଁ ଦୁର୍ଘଟଣା ଅଧିକାଂଶରେ କମିଯାଇଥିଲା। ପୁନର୍ବାର ଏହି ସ୍ଥାନରେ ଉଭୟ ପାର୍ଶ୍ୱରେ ଜାତୀୟ ରାଜପଥର ସ୍ଥାନକୁ ଦଖଲ କରି ବେଆଇନଭାବେ ବହୁ ଅସ୍ଥାୟୀ ଦୋକାନ ଖୋଲିସାରିଲାଣି। ଦୋକାନ ଖୋଲା ରହିବା ଦ୍ୱାରା ଶହ ଶହ ସଂଖ୍ୟାରେ ଗାଡ଼ିଚାଳକମାନେ ରାସ୍ତା ଉପରେ ଗାଡ଼ି ଠିଆ କରିଦେଉଛନ୍ତି। ତେଣୁ ଏଠାରେ ଦ୍ରୁତ ଗତିରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେଉଛି। ଏହି ଅସ୍ଥାୟୀ ବ୍ୟବସାୟୀଙ୍କୁ ଅନ୍ୟ ପାର୍କିଂ ସ୍ଥାନକୁ ସ୍ଥାନାନ୍ତର କରାଗଲେ ଜାତୀୟ ରାଜପଥରୁ ଅବରୋଧ ହଟିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ କୌଣସି ଉତ୍ତର ମିଳିପାରି ନାହିଁ।
ଫଟୋ-ଜାତୀୟ ରାଜପଥ ଉପରେ ଠିଆ ହୋଇ ରହିଥିବା ଗାଡ଼ି।