ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଦ୍‌ଶାହ: କଂକ୍ରିଟ୍‌ ସ୍ଲାବ ସହ ପିଟିହେଲା କାର

ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର଼୍ୟାପର ଆଦିତ୍ୟ ପ୍ରତୀକ ସିଂହ ସିସୋଡ଼ିଆ ଓରଫ ବାଦ୍‌ଶାହ। ଦିଲ୍ଲୀର ପଟିଆଲା ନିକଟ ରାଜପୁରାରେ ତାଙ୍କ କାର ଦୁର୍ଘଟଣାରୁ ବର୍ତ୍ତିଥିବା କୁହାଯାଉଛି।

ସୋମବାର ୪୪ନଂ. ରାଜ୍ୟ ରାଜପଥର ଇଣ୍ଟର ସେକ୍ସନ ଉପରେ ଏକ ନିର୍ମାଣାଧୀନ ଓଭରବ୍ରିଜ୍‌ ଦେଇ ବାଦ୍‌ଶାହ ଯାଉଥିଲେ। ଘନ କୁହୁଡ଼ି ସାଙ୍ଗକୁ ଗାଡ଼ିର ବେଗ ଅଧିକ ଥିବାରୁ ତାଙ୍କ ଡ୍ରାଇଭର ରାସ୍ତା ଉପରେ ଥିବା କଂକ୍ରିଟ୍‌ ସ୍ଲାବକୁ ଦେଖିପାରି ନ ଥିଲେ। ଫଳରେ ତାଙ୍କ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ହେଲେ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ବାଦ୍‌ଶାହ।

ଅପରପକ୍ଷେ ବାଦ୍‌ଶାହଙ୍କ କର୍ମଜୀବନକୁ ଯଦି ଦେଖାଯାଏ, ତେବେ ନିକଟରେ ତାଙ୍କର ଏକ ଗୀତ ରିଲିଜ୍‌ ହୋଇଛି, ଯାହାର ନାଁ ହେଉଛି ‘ଗରମୀ’। ଗୀତଟି ରେମୋ ଡିସୁଜା ନିର୍ଦ୍ଦେଶିତ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ ଡି ପାଇଁ ଲେଖାଯାଇଛି। ଏହା ସମସ୍ତଙ୍କୁ ପସନ୍ଦ ଆସୁଥିବା ବେଳେ ଭାଇରାଲ ମଧ୍ୟ ହେଉଛି।

Share