ଦୁର୍ଘଟଣାଗ୍ରସ୍ତ ବିମାନର ଡେଣା ଉପରେ ରହି ଭିଡିଓ ଶୁଟ୍‌ କଲେ ପାଇଲଟ୍‌

କାଲିଫର୍ନିଆ,୨୫।୮: ଆମେରିକାର ଉତ୍ତର କାଲିଫର୍ନିଆରେ ହୋଇଥିବା ଏକ ବିମାନ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବିମାନର ପାଇଲଟ୍‌ ତା’ର ଡେଣା ଉପରେ ରହି ଭିଡିଓ ପ୍ରସ୍ତୁତ କରୁଥିବା ନଜର ଆସିଛି। ସୂଚନାଯୋଗ୍ୟ, ଆମେରିକାର ବିଇ-୩୬ ନାମକ ଏବ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ଏଥିରେ ଥିବା ପାଇଲଟ ଓ ତାଙ୍କ ସହଯୋଗୀ ବଞ୍ଚିଯାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏହି ଛୋଟ ବିମାନଟିର ଇଞ୍ଜିନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାର ମାତ୍ର ୨ ମିନିଟ୍‌ ମଧ୍ୟରେ ବିମାନଟି ନିକଟରେ ଥିବା ସମୁଦ୍ର ମଧ୍ୟକୁ ଖସିବା ଆରମ୍ଭ କରିଥିଲା। ଆଉ ଏହି ୨ ମିନିଟ୍‌ ମଧ୍ୟରେ ଏଥିରେ ଥିବା ପାଇଲଟ ଡେଭିଡ ଲେଶ ଓ ତାଙ୍କ ସହଯୋଗୀ ବିମାନରୁ ବାହାରକୁ ବାହାରି ଆସିଥିଲେ। ପରେ ବିମାନଟି ପାଣିରେ ବୁଡିଯିବାରୁ ଏହାର ଡେଣା ଉପରେ ଠିଆହୋଇ ଡେଭିଡ୍‌ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ ସତ କିନ୍ତୁ ସମୁଦ୍ରର ପାଣି ବହୁତ ଥଣ୍ଡା ଥିବାରୁ ଏମାନେ ପାଣିରେ ପହଁରିବାରେ ବହୁ କଷ୍ଟ ଅନୁଭବ କରିଥିଲେ। ସୌଭାଗ୍ୟବଶତଃ ତୁରନ୍ତ ଖବର ପାଇ ନିକଟରେ ଥିବା କୋଷ୍ଟଗାର୍ଡ ଟିମ୍‌ ଏମାନଙ୍କୁ ଉଦ୍ଧାର କରିଥିଲେ।

Share