ଦୁର୍ଘଟଣାଗ୍ରସ୍ତ କାର୍‌ରେ ୬ଦିନ ପର୍ଯ୍ୟନ୍ତ ବର୍ଷା ପାଣି ପିଇ ବଞ୍ଚିଥିଲେ ମହିଳା

ବ୍ରୁସସେଲସ୍‌,୩।୮: କଥାରେ ଅଛି ରଖିଲେ ହରି ମାରିବ କିଏ। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଲଜିୟମ୍‌ର ଲିଜ୍‌ ନାମକ ଏକ ଅଞ୍ଚଳରେ। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ମହିଳା ୬ଦିନ ପର୍ଯ୍ୟନ୍ତ କାର୍‌ରେ ଫଶି ରହିଥିଲେ। ସେହି ସମୟରେ ସେ ବର୍ଷା ପାଣି ପିଇ ନିଜର ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜୁଲାଇ ୨୩ରେ ୪୫ବର୍ଷୀୟା ମହିଳା କୋରିନ ବେଷ୍ଟାଇଡ୍‌ଙ୍କ କାର୍‌ ଘନ ଜଙ୍ଗଲ ମଝିରେ ଏକ ଖାଲରେ ପଡ଼ିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ମହିଳାଙ୍କ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ସେ କାର୍‌ରୁ ଆଉ ବାହାରି ପାରି ନ ଥିଲେ। ଅନ୍ୟପଟେ ଦୁର୍ଘଟଣା ପରେ କାର୍‌ ଭିତରେ ତାପମାତ୍ରା ଏତେ ବଢ଼ିଯାଇଥିଲା ଯେ ମହିଳା ଜଣଙ୍କ ବଞ୍ଚିବାର ଆଶା ଛାଡ଼ିଦେଇଥିଲେ। ହେଲେ ସାହସର ସହିତ ସେ କାର୍‌ର କବାଟକୁ ଗୋଡରେ ଖୋଲିଥିଲେ। ସୌଭାଗ୍ୟକ୍ରମେ ସେହି ସମୟରେ ଲଗାତାର ବର୍ଷା ହେବାରୁ ପାଖରେ ଥିବା ଏକ ଚୁଇଗମ୍‌ର ଡବାରେ ବର୍ଷା ପାଣି ପିଇ ବଞ୍ଚିଥିବା ସେ ପ୍ରକାଶ କରିଛନ୍ତି। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିବା ବେଳେ ୬ ଦିନ ପରେ ପୋଲିସ କୋରିନ୍‌ଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।

Share