Categories: ଖେଳ

ଦୁବାଇ ହୋମ୍‌ ମାରାଥନରେ ଭାଗ ନେଲେ ୭୪୯ ଧାବକ

ଦୁବାଇ, ୯ା୪ (ପି.ଟି.):ବିଶ୍ୱର ପ୍ରଥମ ‘ମାରାଥନ ଆଟ୍‌ ହୋମ୍‌’ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୨ଟି ଦେଶର ୭୪୯ଜଣ ଧାବକ ଭାଗ ନେଇଥିଲେ। ପ୍ରତିଯୋଗୀମାନଙ୍କୁ ନିଜ ଘରେ ଥାଇ ୪୨,୧୯୫ କିଲୋମିଟର ଦୌଡ଼ିବାକୁ ପଡ଼ିଥିଲା। ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୫୬୨ ପୁରୁଷ ଓ ୨୨୩ ମହିଳା ଥିଲେ। ସବୁଠାରୁ କମ୍‌ ବୟସ୍କ ଧାବକଙ୍କ ବୟସ ମାତ୍ର ୧୮ ବର୍ଷ ରହିଥିବାବେଳେ ବୟସ୍କଙ୍କ ବୟସ ୬୫ବର୍ଷ ଥିଲା। ମାରାଥନ ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଅଦ୍ଭୁତପୂର୍ବ ଇଭେଣ୍ଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବ୍ୟତୀତ କୁଏତ୍‌, ସୌଦି ଆରବ, ଓମାନ, ବାହାରିନ ଓ ଜୋର୍ଡାନ ଆଦି ଦେଶରୁ ଧାବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଦୁବାଇ ସ୍ପୋଟର୍‌ସ କାଉନ୍‌ସିଲ (ଡିଏସ୍‌ସି) ଏସିକ୍ସ ମିଡଲ ଇଷ୍ଟ ଏବଂ ୫:୩୦ ରନ୍‌ କ୍ଲବର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୋଭିଡ୍‌-୧୯ ମହାମାରୀ ଆଶଙ୍କା ଯୋଗୁ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ବାସଭବନରେ ଦୌଡ଼ିବା ଭଙ୍ଗୀରେ ରେସ୍‌ରେ ସାମିଲ ହେବାକୁ ପଡ଼ିଥିଲା। ଦୌଡ଼ ବେଳେ ପ୍ରତିଯୋଗିମାନଙ୍କୁ ଟ୍ରେଡ୍‌ମିଲ କିମ୍ବା ଅନ୍ୟ କୌଣସି ଟ୍ରେନିଂ ସରଞ୍ଜାମ ବ୍ୟବହାର ପାଇଁ ଅନୁମତି ନ ଥିଲା। ଅଂଶଗ୍ରହଣକାରୀମାନଙ୍କୁ ନିଜ ବାସସ୍ଥାନରେ କେବଳ ଶାରୀରିକ ଭାବେ ଦୌଡ଼ିବାକୁ ହୋଇଥିଲା। ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସେମାନଙ୍କ ସ୍ମାର୍ଟ ଫୋନ୍‌ କିମ୍ବା ସ୍ମାର୍ଟ ଓ୍ବାଚ୍‌କୁ ସମ୍ପୂର୍ଣ୍ଣ ଚାର୍ଜ କରି ରଖିବାକୁ ହୋଇଥିଲା। ଏଥିରେ ଷ୍ଟ୍ରାଭା ଆପ୍‌ ଇନ୍‌ଷ୍ଟଲ କରିବା ସହ ଆକ୍ଟିଭ କରିବା ଆବଶ୍ୟକ ଥିଲା। ଏହି ଆପ୍‌ ଦ୍ୱାରା ଜଣେ ପ୍ରତିଯୋଗୀଙ୍କ ଗିତିବିଧି, ଟାଇମିଂ ଏବଂ ସେ କେତେଦୂର ଦୌଡ଼ିଲେ ତାହା ଆୟୋଜକମାନେ ଜାଣି ପାରିଥିଲେ। ଟପ୍‌ ଫିନିଶରମାନଙ୍କୁ ଲାଗି ପୁରସ୍କାର ବ୍ୟବସ୍ଥା ଥିଲା। ରେସ୍‌ ଶେଷ କରିଥିବା ପ୍ରତ୍ୟେକ ପ୍ରତିଯୋଗୀମାନଙ୍କୁ ଗୋଟିଏ ଲେଖାଏଁ ଟି-ଶାର୍ଟ, ପଦକ ଏବଂ ସାର୍ଟିଫିକେଟ୍‌ ପ୍ରଦାନର ବ୍ୟବସ୍ଥା ହୋଇଥିଲା।

Share