Categories: ରାଜ୍ୟ

ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦାବି କଲା ଦୁଗ୍ଧ ଚାଷୀ ମହାସଂଘ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଚାଷୀଙ୍କୁ ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦେବାକୁ ଦାବି କରିଛି ଦୁଗ୍ଧ ଚାଷୀ ମହାସଂଘ। ଗତ ୪ ଦିନ ତଳେ ଅମୁଲ୍‌ କମ୍ପାନୀ ଲିଟର ପିଛା ୨ଟଙ୍କା ବୃଦ୍ଧି କରିଥିବା ବେଳେ ଶନିବାରଠାରୁ ମଦର୍ସ ଡାଏରୀ ଦୁଗ୍ଧ ଲିଟର ପିଛା ୨ଟଙ୍କା ବୃଦ୍ଧି କରିଛି। ହେଲେ ଚାଷୀଙ୍କର ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଓମ୍‌ଫେଡ ଓ ରାଜ୍ୟ ସରକାର ଦୁଗ୍ଧ ମୂଲ୍ୟରେ ଦରବୃଦ୍ଧି କରିନାହାନ୍ତି। ଏଭଳି ଅଭିଯୋଗ ଆଣିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ।
୨୦୧୪ରେ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୮୦ ପ୍ରତିଶତ ଥିବାବେଳେ ଦୁଗ୍ଧ ଲିଟର ପିଛା ଚାଷୀମାନେ ୨୬ଟଙ୍କା ୧୦ପଇସା ପାଉଥିଲେ। ଇତିମଧ୍ୟରେ ୫ବର୍ଷ ବିତିଯାଇଛି। ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତାରେ ଅହେତୁକ ବୃଦ୍ଧିପାଇଛି। ହେଲେ ଓମ୍‌ଫେଡ ଚାଷୀଙ୍କୁ ସେହି ଏକା ଦର ପ୍ରଦାନ କରୁଛି। ଯେତେବେଳେ କି ଅମୁଲ୍‌ ଏବଂ ମଦର୍ସ ଡାଏରୀ ଭଳି ଦୁଗ୍ଧ କମ୍ପାନୀ କ୍ଷୀର ଦର ବୃଦ୍ଧି କରି ଚାଲିଛନ୍ତି। ମାତ୍ର ଓମ୍‌ଫେଡ ଏବଂ ରାଜ୍ୟ ସରକାର ରାଜ୍ୟର ୩୧୬୫ ଦୁଗ୍ଧ ସମବାୟ ସମିତିର କ୍ଷୀର ଦେଉଥିବା ୨ଲକ୍ଷ ୭୮ହଜାର ଦୁଗ୍ଧ ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା କରୁଛନ୍ତି। ଦୁଗ୍ଧ ଲିଟର ପିଛା ଚାଷୀଙ୍କୁ ସର୍ବନିମ୍ନ ୩୦ଟଙ୍କା ପ୍ରଦାନ କରିବାକୁ ଦାବି କରିଛି ମହାସଂଘ। ଏହାବ୍ୟତୀତ ଫନୀ ବାତ୍ୟାରେ ହଜାର ହଜାର ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ସେମାନଙ୍କ ଗୁହାଳ ଭାଙ୍ଗିଯାଇଛି ଓ ଗୋ-ମହିଷାଦିଙ୍କର ମୃତ୍ୟୁ ଘଟିଛି। ଏପରି କି, କଟକ ଏବଂ ଭୁବନେଶ୍ୱରରେ ଦୁଗ୍ଧ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ୬ ହଜାର ପରିବାର ବାତ୍ୟାରେ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ମାତ୍ର ସରକାରଙ୍କ ତରଫରୁ କୌଣସି ସର୍ବେକ୍ଷଣ କରାଯାଇ କ୍ଷତିପୂରଣ ଦିଆଯାଇନାହିଁ। କେବଳ ଏତିକି ନୁହେଁ, ବାତ୍ୟା ପରେ ଗ୍ରାମାଞ୍ଚଳରେ ଘାସ, କୁଟା, ନଡ଼ା ଆଦି ଗୋଖାଦ୍ୟର ଘୋର ଅଭାବ ଦେଖାଦେଇଛି ଏବଂ ଚୁନି, ଚୋକଡ଼ ଭଳି ଗୋଖାଦ୍ୟର ଅହେତୁକ ଦର ବୃଦ୍ଧି ଘଟୁଛି। ଏଭଳିସ୍ଥଳେ ଦୁଗ୍ଧ ଉପତ୍ାଦନ କରି ଆତ୍ମନିର୍ଭରଶୀଳ ହୋଇଥିବା ୧୧ଲକ୍ଷ ଦୁଗ୍ଧ ଚାଷୀ ପରିବାରଙ୍କର ଜୀବନ ଜୀବିକା ଆଜି ବିପଦ ମୁହଁକୁ ଚାଲିଯାଇଛି ବୋଲି ମହାସଂଘ ଅଧ୍ୟକ୍ଷ ରବି ବେହେରା, ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ ପ୍ରମୁଖ କହିଛନ୍ତି।