Categories: ଖେଳ

ଦୁଇ ବର୍ଷ ପୂର୍ବରୁ ଜୋତା କିଣିବାକୁ ପାଖରେ ଟଙ୍କା ନ ଥିଲା, ଏବେ ଭାରତ ପାଇଁ ରଚିଲେ ଇତିହାସ

ଭାରତୀୟ ବକ୍ସର ଅମିତ ପଂଘାଲ ଯଦିଓ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ର ଫାଇନାଲରେ ପରାସ୍ତ ହୋଇଛନ୍ତି। କିନ୍ତୁ ରୌପ୍ୟ ପଦକ ଜିତି ସେ ଇତିହାସ ରଚିଛନ୍ତି। ୧୯୭୪ରୁ ଆରମ୍ଭ ହୋଇଥିବା ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ୪୫ ବର୍ଷ ପରେ ପ୍ରଥମଥର ପାଇଁ ଅମିତ ପୁରୁଷ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ କେବଳ ବ୍ରୋଞ୍ଜ ପଦକ ଆଣିବାରେ ସକ୍ଷମ ହୋଇଥିଲା। ବିଜେନ୍ଦର ସିଂ, ବିକାଶ କୃଷ୍ଣ, ଶିବ ଥାପ୍ପା ଏବଂ ଗୌରବ ବିଧୁଡିଙ୍କ ପରେ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ର ସେମିଫାଇନାଲରେ ପହଞ୍ଚିବାରେ ଅମିତ ୫ମ ଭାରତୀୟ ବକ୍ସର ଥିଲେ। ସେମିଫାଇନାଲ ଜିତି ଫାଇନାଲ ଯିବାରେ ସେ ପ୍ରଥମ ଭାରତୀୟ ଥିଲେ। ୨୦୦୮ରୁ ବକ୍ସିଂ ଖେଳିବା ଆରମ୍ଭ କରିଥିଲେ ଅମିତ। ୨୦୧୭ରେ କ୍ୟାରିୟର ଆରମ୍ଭ କଲାବେଳେ ତାଙ୍କ ପାଖରେ ଜୋତା କିଣିବାକୁ ଟଙ୍କା ନ ଥିଲା। ବାଧ୍ୟ ହୋଇ ଟଙ୍କା କରଜ କରି ସେ ଜୋତା କିଣି ବିଭିନ୍ନ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବେ ସେ ବିଦେଶରେ ଦେଶକୁ ଗୌରବାନ୍ବିତ କରିଛନ୍ତି।

Share