ଦୁଇ ନେତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ : ୬ଜଣଙ୍କ ନାଁରେ ମାମଲା ରୁଜୁ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ଜିଲା ଜଳେଶ୍ୱର ସହରର ପଞ୍ଚୁଘଣ୍ଟା ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ନିକଟରେ ରବିବାର ରାତିରେ ଭାଜପାର ରାଷ୍ଟ୍ରୀୟ ପରିଷଦ ସଭ୍ୟ ସମୀର ପାତ୍ର ଓ ଜଳେଶ୍ୱର କୃଷକ ସଙ୍ଗଠନ ସମ୍ପାଦକ ସୁବ୍ରତ ବେରାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଖବରପାଇ ପୋଲିସ ଦୀର୍ଘ ଦେଢ଼ଘଣ୍ଟା ପରେ ଦୁଇ ନେତାଙ୍କୁ ଉଦ୍ଧାର କରିଥିଲା। ଏନେଇ ପାତ୍ର ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା (ନଂ. ୨୦୬/୨୦) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ବାଲିମାଫିଆଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏହି ଘଟଣାରେ ୬ ଜଣଙ୍କ ମାମଲା ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ସବ୍‌ଇନ୍ସପେକ୍ଟର ନରେନ୍ଦ୍ର ନାଥ ସେଠୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଜଳେଶ୍ୱର ବ୍ଲକର ସୁବର୍ଣ୍ଣରେଖା ନଦୀପଠାରୁ ବେଆଇନ ବାଲି ଉତ୍ତୋଳନ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଦିନକୁ ଦିନ ମାଫିଆଙ୍କ ଦୌରାମତ୍‌ୟ ବଢିଚାଲିଥିବାରୁ ଏହାର ପ୍ରତିବାଦ କରି ରାଷ୍ଟ୍ରୀୟ ପରିଷଦ ସଭ୍ୟ ପାତ୍ର ଓ ଜଳେଶ୍ୱର କୃଷକ ସଙ୍ଗଠନ ସମ୍ପାଦକ ବେରା ହାଇକୋର୍ଟରେ ମାମଲା ରୁଜୁ କରିବା ସହ ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଗତ ୯ତାରିଖ ଏନ୍‌ଜିଟିର ରିପୋର୍ଟ ଅନୁଯାୟୀ ଜଳେଶ୍ୱର ପଞ୍ଚୁଘଣ୍ଟା (କ) ଓ (ଖ) ବାଲିଖାଦାନରୁ ବେଆଇନ ବାଲି ଉତ୍ତୋଳନର ତଦନ୍ତ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଖବର ଜାଣିବା ପରେ ବେଆଇନ ବାଲି ଉତ୍ତୋଳନକାରୀମାନେ ଉତ୍ତ୍ୟକ୍ତ ହୋଇପଡିଛନ୍ତି। ରବିବାର ରାତିରେ ପାତ୍ର ଚପଲା ଗ୍ରାମରୁ ଘରକୁ ଫେରୁଥିବା ବେଳେ ନିକଟସ୍ଥ ଶିବ ମନ୍ଦିର ପାଖରେ ବେରାଙ୍କ ସହ ଦେଖାହୋଇ କଥା ହେଉଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ପହଞ୍ଚି ଦୁଇନେତାଙ୍କୁ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ବାଲିମାଫିଆଙ୍କ ବିରୋଧରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥାନୀୟବାସିନ୍ଦା ନଜର ରଖିଛନ୍ତି। ଦୃଢ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଅଞ୍ଚଳର ଭାଜପାର ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।