ଦୁଇ ଛାତ୍ରଙ୍କ ଦୁଃସାହସ, ବୁଡ଼ିଯାଉଥିବା ଛାତ୍ରଙ୍କୁ ବଞ୍ଚାଇଲେ

କୋରେଇ,୩ା୯(ସ୍ବ.ପ୍ର.)- କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ସୋମବାର ପୋଖରୀରେ ବୁଡିଯାଉଥିବା ବେଳେ କୋରାଇ ନୋଡାଲ ହାଇସ୍କୁଲର ଦୁଇ ଛାତ୍ର ତାଙ୍କୁ ଉଦ୍ଧାର କରି ସାହସିକତାର ପ୍ରମାଣ ଦେଇଛନ୍ତି। ପ୍ରକାଶ ଯେ, ସାଦକପୁର ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ତଥା ଫାଜଲପୁର ଗ୍ରାମର ଅବଦୁଲ ନାଜାମ ଖଁାଙ୍କ ପୁଅ ଅବଦୁଲ ରୁମାନ ଖଁା(୬) ବିଦ୍ୟାଳୟରୁ ଗଣେଶ ପୂଜା ସାରି ଫେରୁଥିଲେ। ଏହି ସମୟରେ ରାସ୍ତା କଡରେ ଥିବା ଏକ ପୋଖରୀ କୂଳରେ ମାଛ ଦେଖୁଥିବା ବେଳେ ପୋଖରୀରେ ପଡି ବୁଡିଯାଇଥିଲେ। ଏହାଦେଖି କୋରାଇ ହାଇସ୍କୁଲର ଛାତ୍ର ତଥା ସାଦକପୁର ପଞ୍ଚାୟତର ଫାଜଲପୁର ଗ୍ରାମର ସେକ କାଲାବାଉଙ୍କ ପୁଅ ସେକ୍‌ ତୋସିବ ଓ ସାଦକପୁର ଗ୍ରାମର ମହମ୍ମଦ ଦାଉଦଙ୍କ ପୁଅ ସୋଏବ ପୋଖରୀରେ ପଶି ରୁମାନଙ୍କୁ ଉଦ୍ଧାର କରିଥିଲେ। ସୋଏବ ଓ ତୋସିବ ଏଭଳି ସାହସିକତା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଖବରପାଇ ପ୍ରଧାନ ଶିକ୍ଷକ ଦୁର୍ଗାମାଧବ ମହାନ୍ତି ଘଟଣାସ୍ଥଳେ ପହଞ୍ଚତ୍ ସାହସୀ ଛାତ୍ରଙ୍କୁ ସାବାସି ଜଣାଇବା ସହ ରୁମାନଙ୍କୁ ପରିବାରଲୋକଙ୍କ ଜିମା ଦେଇଥିଲେ। ଉକ୍ତ ପୋଖରୀ ବାଡ ବୁଜିବା ସହ ଉଦ୍ଧାରକାରୀ ଦୁଇ ଯୁବକଙ୍କୁ ସରକାର ସାହସିକତା ପୁରସ୍କାର ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି ।