ଦୁଇଭାଗ ହେବ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ୨୦୦୮ରେ କମିଶନରେଟ ପୋଲିସ ପ୍ରତିଷ୍ଠା ହେବା ସମୟରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଜନସଂଖ୍ୟା ଥିଲା ୧୦ଲକ୍ଷ। ବର୍ତ୍ତମାନ ଏହା ୧୬ ଲକ୍ଷ ଟପିଗଲାଣି। ଜନସଂଖ୍ୟା ସହ ବଢ଼ିଚାଲିଛି ଅପରାଧ। ପ୍ରତିବର୍ଷ ମାମଲା ସଂଖ୍ୟା ମଧ୍ୟ ବଢୁଛି। ତେଣୁ ଅପରାଧ ନିୟନ୍ତ୍ରଣ ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱରକୁ ୨ଟି ସହରାଞ୍ଚଳ ପୋଲିସ ଜିଲାରେ ଭାଗ କରାଯିବ। ପୋଲିସ ଡିଜିଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି। ପୋଲିସ ଡିଜି ଉକ୍ତ ପ୍ରସ୍ତାବକୁ ଖୁବ୍‌ଶୀଘ୍ର ଗୃହ ବିଭାଗକୁ ପଠାଇବେ। ଗୃହ ବିଭାଗର ସୀକୃତି ମିଳିବା ପରେ ଭୁବନେଶ୍ୱରକୁ ଦୁଇଟି ପୋଲିସ ଜିଲାରେ ପରିଣତ କରାଯିବ ବୋଲି କମିଶନର ମହାନ୍ତି କହିଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ନର୍ଥ ଓ ସାଉଥ୍‌ ଦୁଇଟି ପୋଲିସ ଜିଲା ରହିବ। ଦାୟିତ୍ୱରେ ଦୁଇଜଣ ଡିସିପି ରହିବେ। ଦୁଇ ଡିସିପିଙ୍କ ମଧ୍ୟରେ ସମନ୍ବୟ ରଖିବା ପାଇଁ ନିୟମିତ ବୈଠକ ହେବ। ଗୋଟିଏ ପୋଲିସ ଜିଲାରେ ୧୨ଟି ଥାନା ରହିବ। ଶହୀଦନଗର, ମଞ୍ଚେଶ୍ୱର ଓ ଖଣ୍ଡଗିରି ଆଦି ଥାନାର ପରିସୀମା ଅଧିକ ରହିଛି। ତେଣୁ ଏହିସବୁ ଥାନା ପରିସୀମାକୁ ବଣ୍ଟାଯାଇ ଆଉ ୩ଟି ନୂଆ ଥାନା କରାଯିବ। ସେହିଭଳି ବର୍ତ୍ତମାନ ଭୁବନେଶ୍ୱରରେ ୨୪ ଥାନା ରହିଥିବାବେଳେ ୨ଟି ଟ୍ରାଫିକ ଥାନା ରହିଛି। ଏହାସହ ୭ଟି ପୋଲିସ ଜୋନ୍‌ ରହିଛି। ଏସବୁକୁ ଦାୟିତ୍ୱରେ ଜଣେ ଡିସିପି ରହିଥିବାରୁ ଆଇନଶୃଙ୍ଖଳା ସହ ଭିଆଇପି ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ କାଠିକରପାଠ ହେଉଛି। ପୁଣି ସହର ବଢ଼ିବା ସହ ଶିକ୍ଷାନୁଷ୍ଠାନ, ମେଡିକାଲ, ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ି ଉଠୁଛି। ରାଜ୍ୟର ବିଭିନ୍ନ ଜିଲାରୁ ଲୋକେ ଭୁବନେଶ୍ୱରକୁ ଚାଲିଆସୁଥିବାରୁ ଏଠାରେ ଜନସଂଖ୍ୟା ବୃଦ୍ଧି ପାଇଚାଲିଛି। ଆହୁରି ମଧ୍ୟ ବିଧାନସଭା ସଭା, ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମେତ ରାଲି, ଧାରଣା, ଭିଆଇପିଙ୍କ ସୁରକ୍ଷା, ବିଭିନ୍ନ ପ୍ରକାର ଫେଷ୍ଟିଭାଲ ସମୟରେ ଏକାଧିକ ପୋଲିସ ନିୟୋଜିତ ହେଉଛନ୍ତି। ତେଣୁ ଦୁଇଟି ପୋଲିସ ଜିଲା ହେବାପରେ ଏଠାରେ ଆହୁରି ଅଧିକ ପୋଲିସ ନିୟୋଜିତ ହେବେ ଓ ଲ’ ଆଣ୍ଡ୍‌ ଅର୍ଡର ସମସ୍ୟା ଦୂର ହୋଇପାରିବ ବୋଲି ପୋଲିସ କମିଶନର ଆଶା ରଖିଛନ୍ତି। ପ୍ରକାଶଯୋଗ୍ୟ, ଓ୍ବାଇ.ବି ଖୁରାନିଆ ପୋଲିସ କମିଶନର ଥିବା ସମୟରେ ସେ ଏନେଇ ମଧ୍ୟ ଡିଜିପିଙ୍କ ସହ ଆଲୋଚନା କରିଥିଲେ। ହେଲେ ସେତେବେଳେ ତାହା ସମ୍ଭବ ହୋଇପାରି ନ ଥିଲା।