ଦୁଇବର୍ଷର ଶିଶୁପୁତ୍ରକୁ ଶେଯରେ ଶୁଆଇ ଜୀବନ ହାରିଲେ ଶିକ୍ଷୟିତ୍ରୀ

କେନ୍ଦୁଝର,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଓସ୍ତପଙ୍ଗା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ରହୁଥିବା ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିକ୍ଷୟିତ୍ରୀ ଜଣକ ଭଦ୍ରକ ଜିଲା ବାସୁଦେବପୁର ଥାନା ସାବରଙ୍ଗ ଗ୍ରାମର ବିନତୀ ସାହୁ ବୋଲି ଜଣାପଡ଼ିଛି। ସେ କିଛିବର୍ଷ ତଳେ ବିବାହ କରିଥିଲେ। ସ୍ବାମୀ ପ୍ରୀତିମାନ ଗିରି ଭୁବନେଶ୍ୱରରେ ରହି କାମ କରନ୍ତି। ଏବେ ଦିଲ୍ଲୀ ଟ୍ରେନିଂରେ ଯାଇଥିବା ଜଣାପଡ଼ିଛି। ତାଙ୍କର ଦୁଇ ବର୍ଷର ଏକ ପୁଅ ଅଛି। ଶିକ୍ଷୟିତ୍ରୀ ଜଣକ ଏହି ଛୋଟ ପିଲାଟିକୁ ଶୁଆଇ ଆତ୍ମହତ୍ୟା କରିଥିଲେ। ତେବେ କାରଣ ଜଣା ପଡ଼ିନାହିଁ। ପୋଲିସ ଖବର ପାଇ ରବିବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ଶନିବାର ତାଙ୍କ ସ୍ବାମୀ ପ୍ରୀତିମାନ ଶିକ୍ଷୟିତ୍ରୀଙ୍କୁ ଫୋନ୍‌ କରିଥିଲେ। ମାତ୍ର ସେ ଉଠାଇ ନ ଥିଲେ। ଫୋନ୍‌ ନ ଉଠାଇବାରୁ ସେ ପଡ଼ୋଶୀ ଘରେ ରହୁଥିବା ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ସେମାନେ ଯାଇ କବାଟ ବାଡ଼େଇ ଥିଲେ ହେଁ ନ ଖୋଲିବାରୁ ଝରକା ପଟେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏନେଇ ପ୍ରୀତିମାନଙ୍କୁ ସୂଚନା ଦେବା ସହ ପୋଲିସକୁ ଜଣାଇଥିଲେ। ପାଖରେ ଶିଶୁ କମ୍ବଳରେ ଘୋଡ଼ାଇ ହୋଇ ଶୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ପଣ୍ଡାପଡ଼ା ଥାନା ଅଧିକାରିଣୀ ପଦ୍ମାଳୟା ସାହୁ କହିଛନ୍ତି, ଘରେ ମା’-ପୁଅ ରହୁଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।