ଦୁଇଦିନ ପ୍ରବଳ ବର୍ଷା : ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର, ୧୨ା୮(ବ୍ୟୁରୋ) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସୋମବାର ସକାଳେ ଏହା ଲଘୁଚାପର ରୂପ ନେବ। ପ୍ରଭାବରେ ରବିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମୟୂରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ବାରିପଦା, ବଲାଙ୍ଗୀର, ଦେବଗଡ଼ ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇଛି। ଚାନ୍ଦବାଲିରେ ସର୍ବାଧିକ ୪୨ ମିଲିମିଟର ବର୍ଷା ହୋଇଥିବାବେଳେ ଝାରସୁଗୁଡ଼ାରେ ୧୭ ମିମି, ବାଲେଶ୍ୱରରେ ୯ ମିମି, ସୋନପୁରରେ ୩ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ସୋମବାର ଓ ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପୂର୍ବରୁ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ଫେରି ଆସିବାକୁ କୁହାଯାଇଛି।
ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନବରଙ୍ଗପୁର, ବରଗଡ଼ ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମାଲକାନଗିରି, ରାୟଗଡ଼ା, ଢେଙ୍କାନାଳ ଓ ଅନୁଗୋଳ ସମେତ ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଜୁନ୍‌-ଜୁଲାଇ ମାସର ନିଅଣ୍ଟିଆ ବର୍ଷା ଭରଣା ହେବ। ପଶ୍ଚିମ ଓଡ଼ିଶା ତଥା ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାକୁ ଥିବାରୁ ମହାନଦୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ। ତେବେ ଉତ୍ତର ଓଡ଼ିଶାରେ ଲଗାତର ତିନିଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏଠାରେ ସଙ୍ଗିନ ସ୍ଥିତି ଉପୁଜିପାରେ। ୧୩ରୁ ରାଜ୍ୟରେ ବର୍ଷା ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି।
ହୀରାକୁଦରେ ଜଳସ୍ତର ବୃଦ୍ଧି
ଅନ୍ୟପକ୍ଷରେ ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଏହାର ଜଳସ୍ତର ୬୧୩.୫୨ ଫୁଟ୍‌ରେ ପହଞ୍ଚତ୍ଛି। ଡ୍ୟାମ୍‌କୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୬ ହଜାର ୬୮୬ ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମ୍‌ରୁ ପ୍ରତି ସେକେଣ୍ଡରେ ୧୪ ହଜାର ୨୮୦ ଘନଫୁଟ ଜଳ ନିଷ୍କାସନ ହେଉଛି। ଆସନ୍ତା ୧୪ ତାରିଖରେ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ ଦିନ ୧୧ଟା ପରେ ଯେକୌଣସି ସମୟରେ ନିଷ୍କାସନ ହେବ। ବର୍ଷା ପରିମାଣ ଓ ସ୍ଥିତି ଦେଖି କେତୋଟି ଗେଟ୍‌ ଖୋଲାଯିବ ତାହା ଉକ୍ତ ଦିନ ହିଁ ସ୍ଥିର ହେବ।