Categories: ଜାତୀୟ

ଦୁଇଗୁଣ ହେବ ହସ୍ପିଟାଲାଇଜେଶନ

ନୂଆଦିଲ୍ଲୀ,୧୧।୧(ପି.ଟି.):ଦେଶରେ କୋଭିଡ୍‌ ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ୨ଗୁଣ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି ବୋଲି କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଦ୍ୱିତୀୟ ଲହରର ପ୍ରତି ୧୦୦ ଡେଲ୍ଟା ମାମଲା ସ୍ଥାନରେ ୪୦୦ରୁ ୫୦୦ ଓମିକ୍ରନ୍‌ ମାମଲା ହୋଇପାରେ। ତେଣୁ ଦ୍ୱିତୀୟ ଲହରରେ ଯେଉଁଠି ୧୦୦ ଜଣ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ, ତୃତୀୟ ଲହରରେ ସେଠାରେ ୧୨୫ରୁ ୨୫୦ ରୋଗୀ ଭର୍ତ୍ତି ହେବେ ବୋଲି ତଥ୍ୟରୁ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ସକ୍ରିୟ ମାମଲାର ୫ରୁ ୧୦ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ପଡୁଛି। ତେବେ ଖୁବ୍‌ଶୀଘ୍ର ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସିପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି। କୋଭିଡ୍‌ର ଦ୍ୱିତୀୟ ଲହର ବେଳେ ସକ୍ରିୟ ମାମଲାର ୨୦ରୁ ୨୩ ପ୍ରତିଶତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। କୋଭିଡ୍‌ ପରିଚାଳନା ଲାଗି ସ୍ବାସ୍ଥ୍ୟସେବା କର୍ମଚାରୀ ସଂଖ୍ୟା ବଢ଼ାଇବା ଉପରେ ସ୍ବାସ୍ଥ୍ୟ ସଚିବ ଜୋର୍‌ ଦେଇଛନ୍ତି। ସ୍ଥିତି ଗତିଶୀଳ ଓ ପରିବର୍ତ୍ତନଶୀଳ ରହିଥିବାରୁ ଆଗାମୀ ଦିନରେ ଅଧିକ ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତ୍ତିହେବାକୁ ପଡ଼ିପାରେ। ସେଥିପାଇଁ ସକ୍ରିୟ ମାମଲା, ହୋମ୍‌ ଆଇସୋଲେଶନରେ ଥିବା ମାମଲା, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂକ୍ରମିତ , ଅକ୍ସିଜେନ୍‌ ବେଡ୍‌, ଆଇସିୟୁ ବେଡ୍‌ ଏବଂ ଭେଣ୍ଟିଲେଟର ସପୋର୍ଟ ଆଦି ଉପରେ ଦୈନନ୍ଦିନ ନଜର ରଖିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକକୁ ପରାମର୍ଶ ଦିଆଯାଇଛି। ଏମ୍‌ବିବିଏସ୍‌ ଶେଷବର୍ଷ ଛାତ୍ରୀଛାତ୍ର, ଇଣ୍ଟର୍ନ, ରେସିଡେଣ୍ଟ ଡାକ୍ତର, ବିଏସ୍‌ସି ନର୍ସିଂ ତୃତୀୟ ଓ ଚତୁର୍ଥ ବର୍ଷ ଛାତ୍ରୀ ଏବଂ ଏମ୍‌ସସ୍‌ସି ନର୍ସିଂ ଛାତ୍ରୀମାନଙ୍କୁ ଚିକିତ୍ସାରେ ଲଗାଇବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସେହିପରି ଅସ୍ଥାୟୀ ହସ୍ପିଟାଲ, ଫିଲ୍ଡ ହସ୍ପିଟାଲ ଖୋଲିବା ସହ ଅକ୍ସିଜେନ୍‌ ବେଡ୍‌ ଏବଂ ଆଇସିୟୁ ବେଡ୍‌ ବଢ଼ାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି।

Share