Categories: ଖେଳ

ଦୀପକଙ୍କ ଟ୍ୟାଲେଣ୍ଟକୁ ୨୦୧୦ରେ ଚିହ୍ନଟ କରିଥିଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୩।୧୧- ପୂର୍ବତନ ଭାରତୀୟ ଟେଷ୍ଟ ଓପନର ଆକାଶ ଚୋପ୍ରା ବିନା ଦ୍ୱନ୍ଦ୍ୱରେ ଅନ୍ୟତମ ଲୋକପ୍ରିୟ କ୍ରିକେଟ ଭାଷ୍ୟକାର। ନିକଟରେ ହ୍ୟାଟ୍ରିକ ଉଇକେଟ ନେଇ ଚର୍ଚ୍ଚାକୁ ଆସିଥିବା ଦୀପକ ଚହରଙ୍କ ଟ୍ୟାଲେଣ୍ଟକୁ ପ୍ରଥମେ ଆକାଶ ଚିହ୍ନଟ କରିଥିଲେ। ଯେତେବେଳେ ଭାରତୀୟ ପେସ ବୋଲିଂ ଏତେ ଶକ୍ତିଶାଳୀ ନ ଥିଲାବେଳେ ଚୋପ୍ରା ଚହରଙ୍କ ଭବିଷ୍ୟତରେ ଷ୍ଟାର ହେବେ ବୋଲି ଭବିଷ୍ୟବାଣୀ କରିଥିଲେ। ୧୮ ବର୍ଷୀୟ ଦୀପକଙ୍କ ଟ୍ୟାଲେଣ୍ଟ ସମ୍ପର୍କରେ ପୁର୍ବତନ କ୍ରିକେଟର ଆକାଶ ୨୦୧୦ରେ ଟୁଇଟ୍‌ କରିଥିଲେ, ମୁଁ ରାଜସ୍ଥାନରେ ଜଣେ ପ୍ରତିଭାଶାଳୀ ଖେଳାଳିଙ୍କୁ ଦେଖିଛି। ଦୀପକ ଚହରଙ୍କ ନାମ ମନେ ରଖ। ଭବିଷ୍ୟତରେ ତାଙ୍କୁ ବହୁତ ଦେଖିବାକୁ ମିଳିବ। ଏବେକାର ଭାଷ୍ୟକାରଙ୍କ ଏହି ୯ ବର୍ଷ ପୂରୁଣା ଟୁଇଟ୍‌କୁ ଏବେ ଫ୍ୟାନମାନେ ପ୍ରଶଂସା କରୁଛନ୍ତି। ଉଲ୍ଲେଖଥାଉ କି, ୨୦୧୮ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଦୀପକ ଏବେ ଟି୨୦ ସ୍ପେଶାଲିଷ୍ଟ ବୋଲର ଭାବେ ନିଜକୁ ପ୍ରତିଷ୍ଠିତ କରିସାରିଛନ୍ତି। ଏପରି କି ଯଦି ଯଶପ୍ରୀତ ବୁମରା ଓ ଭୁବନେଶ୍ୱର କୁମାର ଆହତ ସମସ୍ୟାରୁ ଫେରିଲେ ମଧ୍ୟ ଦୀପକଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେବା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ କଷ୍ଟକର ହେବ। ଗତ ରବିବାର ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ୭ ରନ୍‌ ବିନିୟମରେ ୬ ଉଇକେଟ ନେଇଥିଲେ।

Share