ଦୀନବନ୍ଧୁଙ୍କ ମୃତଦେହ ବାଇକ୍‌ରେ ଘରକୁ ଆସିଲା

ମାଲକାନଗିରି,୨୭ା୨(ଡି.ଏନ.ଏ.): ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପଣସପୁଟ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀ ଦୀନବନ୍ଧୁ ବେପାରୀଙ୍କ ମୃତଦେହକୁ ୨ ଦିନ ପରେ ପରିବାର ଲୋକ ମଙ୍ଗଳବାର ଏକ ବାଇକ୍‌ରେ ୨୦ କିମି ଦୂର ଚିତ୍ରକୋଣ୍ଡାସ୍ଥିତ ନିଜ ଘରକୁ ଆଣିଛନ୍ତି । ଗତ ୨୩ରେ ଦୀନବନ୍ଧୁ ସାପ୍ତାହିକ ହାଟକୁ ଯିବା ବେଳେ ରାସ୍ତାରେ ମାଓବାଦୀମାନେ ତାଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ଗୁଳିକରି ହତ୍ୟା କରିଥିଲେ। ୨ ଦିନ ପର୍ଯ୍ୟନ୍ତ ପୋଲିସ ସେହି ସ୍ଥାନକୁ ନ ଯିବାରୁ ଶେଷରେ ପରିବାର ଲୋକେ ମୃତଦେହକୁ ବାଇକ୍‌ ଯୋଗେ ଆଣିଥିଲେ। ଦୀନବନ୍ଧୁଙ୍କ ପକେଟ୍‌ରୁ ଏକ ହାତଲେଖା ଚିଠି ମିଳିଥିବା ପରିବାର ଲୋକେ କହିଛନ୍ତି। ଦୀନବନ୍ଧୁ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ପୋଲିସକୁ ସୂଚନା ଦେଉଥିବାରୁ ତାଙ୍କୁ ଏପରି ହତ୍ୟା କରାଗଲା। ଯେଉଁମାନେ ପୋଲିସକୁ ସହଯୋଗ କରୁଛନ୍ତି ୩ ଦିନ ମଧ୍ୟରେ ମାଓବାଦୀବାହିନୀ ନିକଟରେ ଆତ୍ମସମର୍ପଣ ନ କଲେ ସେମାନଙ୍କୁ ପ୍ରଜାକୋର୍ଟରେ ହତ୍ୟା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଦୀନବନ୍ଧୁଙ୍କ ଜଣେ ସମ୍ପକୀୟ କହିଛନ୍ତି ରାସ୍ତାରେ ଲ୍ୟାଣ୍ଡମାଇନ ପୋତା ଯାଇଥିବା ସନ୍ଦେହ କରି ପୋଲିସ ଘଟଣା ସ୍ଥଳକୁ ନ ଯାଇ ଆମକୁ ମୃତଦେହ ଆଣିବା ପାଇଁ କହିଥିଲେ। ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ପୋଲିସ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଫୋନ ନ ଉଠାଇବାରୁ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।