ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଆଲୁମନି ମିଟ୍‌:ଅନୁଭୂତି କହିଲେ ନିଯୁକ୍ତି ପାଇଥିବା ୫୭ ଯୁବତୀଯୁବକ

ଅନୁଗୋଳ ଅଫିସ, ୨୮।୧୨ କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ନିଜ ଦକ୍ଷତା ବୃଦ୍ଧି କରି ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋର, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ ଚାକିରି କରିଥିବା ଅନୁଗୋଳ ଜିଲାର ଯୁବତୀଯୁବକମାନେ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକତ୍ରିତ ହୋଇ ସେମାନଙ୍କ ଅନୁଭୂତି ବଖାଣିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ଦକ୍ଷତା ଓ ଅଭିଜ୍ଞତା ଆଧାରରେ ଅଧିକ ରୋଜଗାରକ୍ଷମ ହେବା ସହିତ ନିଜ ମାଆ ଓ ବାପାଙ୍କ ସ୍ବପ୍ନ ସାକାର କରିବାକୁ ସମ୍ପୃକ୍ତ ଯୁବତୀଯୁବକଙ୍କୁ ପରାମର୍ଶ ଦେଇଥିଲେ। ସରକାର ଧନ୍ଦାମୂଳକ ତାଲିମ ଦେଇ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ଦେଉଛନ୍ତି। ଯେଉଁମାନେ ନିଜର ମନୋବଳ ଦୃଢ଼ କରି ଧୈର୍ଯ୍ୟର ସହିତ ତାଲିମ ନେଇଛନ୍ତି ସେମାନେ ନିଜ ଅଭିଜ୍ଞତା ବଳରେ ଭବିଷ୍ୟତରେ ରାଜ୍ୟ ତଥା ରାଜ୍ୟ ବାହାରେ ଚାକିରି ପାଇପାରିବେ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଏହି ଆଲୁମିନି ମିଟ୍‌ରେ ଜିଲାର ୫୭ ଜଣ ଯୁବତୀ ଯୁବକଙ୍କୁ ଜିଲାପାଳ ସେମାନଙ୍କ ତାଲିମ ଓ ଚାକିରି ସମୟର ସ୍ମୃତି ସମ୍ପର୍କରେ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଯୋଗଦେଇ ନିଜ ଅଞ୍ଚଳ ଓ ରାଜ୍ୟ ପାଇଁ ଗୌରବ ଆଣିବାକୁ ପରାମର୍ଶ ଦେଇଥିଲେ। ଓର୍‌ମାସ୍‌ର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାକେଶ କୁମାର କୁଣ୍ଡୁ ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀଙ୍କ ସମେତ ବିଭିନ୍ନ ନିଯୁକ୍ତିଦାତା ସଂସ୍ଥାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।