Categories: ଜାତୀୟ

‘ଦିଶା’ ଆଇନ ପାଇଁ ନିଯୁକ୍ତ ହେଲେ ୨ ମହିଳା ଅଫିସର

ଅମରାବତୀ,୩।୧: ହାଇଦ୍ରାବାଦରେ ଦିଶାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା ପରେ ଆନ୍ଧ୍ରପ୍ରଦେଶ ସରକାର ଗତବର୍ଷ ଡିସେମ୍ବରରେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଉକ୍ତ ଆଇନ ଜରିଆରେ ତୁରନ୍ତ ଫାଶୀ ଦଣ୍ଡାଦେଶ ମିଳିପାରିବ ବୋଲି ଦିଶା ଆଇନକୁ ପାରିତ କରାଯାଇଥିଲା। ୨୧ଦିନ ମଧ୍ୟରେ ଘଟଣାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯିବ ବୋଲି ଏଥିରେ ପ୍ରାବଧାନ ରହିଛି। ଡିସେମ୍ବର ୧୩ରେ ଆନ୍ଧ୍ର ବିଧାନସଭାରେ ଏହି ଆଇନ ପାସ୍‌ ହୋଇଥିଲା। ଆଉ ଏହାକୁ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ ନାମରେ ନାମିତ କରାଯାଇଥିଲା। ଏହି ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁଛି କି ନାହିଁ ସେନେଇ ତଦାରଖ କରିବା ପାଇଁ ୨ ମହିଳା ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଆଇଏଏସ୍‌ ଡାକ୍ତର କ୍ରିତିକା ଶୁକ୍ଳା ଓ ଆଇପିଏସ୍‌ ଏମ୍‌. ଦୀପିକା କୁର୍‌ନୁଲଙ୍କୁ ଦିଶାର ସ୍ପେଶିଆଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଡାକ୍ତର କ୍ରିତିକା ମହିଳା ଏବଂ ଶିଶୁ କଲ୍ୟାଣ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ସେହିପରି ଏମ୍‌ ଦୀପିକା ମଧ୍ୟ ପୂର୍ବରୁ ଏଏସ୍‌ପି ପଦରେ ନିଯୁକ୍ତ ଥିଲେ।

Share