ଦିଲ୍ଲୀ ସରକାରଙ୍କ ନୂଆ ଆପ୍‌: ଜଣାପଡିବ କେଉଁ ହସ୍ପିଟାଲରେ ରହିଛି କେତେ ବେଡ୍‌

ନୂଆଦିଲ୍ଲୀ,୨।୬: ପ୍ରତିଦିନ ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୮ହଜାରରୁ ଅଧିକ ରହୁଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ହେଲେ ଏହାକୁ ନେଇ ଭୟଭୀତ ନ ହେବାକୁ ପୁଣିଥରେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ମଙ୍ଗଳବାର ସେ କହିଛନ୍ତି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ନେଇ କେହି ଭୟଭୀତ ହେବା ଅନୁଚିତ। ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ତେବେ କରୋନା ମୁକାବିଲା ପାଇଁ କେଜରିଓ୍ବାଲ ଏକ ନୂଆ ଆପ୍‌ ଲଞ୍ଚ କରିବାକୁ ଯାଉଛନ୍ତି ଯାହା ମାଧ୍ୟମରେ ଦିଲ୍ଲୀର କେଉଁ ହସ୍ପିଟାଲରେ କେତେ ବେଡ୍‌ ଖାଲି ଅଛି ତାହା ଜଣାପଡିବ। ଫଳରେ ରୋଗୀଙ୍କୁ ଆଉ ଏଣେତେଣେ ବୁଲିବାକୁ ପଡିବ ନାହିଁ। କେଜରିଓ୍ବାଲ କହିଛନ୍ତି ଦିଲ୍ଲୀରେ ପାଖାପାଖି ୪,୧୦୦ ବେଡ୍‌ ଖାଲି ରହିଛି। ଲୋକଙ୍କୁ ଜଣାପଡୁନାହିଁ କେଉଁଠି ବେଡ୍‌, ଭେଣ୍ଟିଲେଟର ଆଦି ଖାଲି ରହିଛି। ସେଥିପାଇଁ ମଙ୍ଗଳବାର ଏକ ଆପ୍‌ ଲଞ୍ଚ କରାଯିବ ଯେଉଁଥିରେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର କରୋନା ସମ୍ପର୍କିତ ତଥ୍ୟ ରହିବ। ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିହେବ। ଯେଉଁମାନଙ୍କର ସ୍ମାର୍ଟ ଫୋନ୍‌ ନାହିଁ ସେମାନେ ଏହାର ଓ୍ବେବ ପେଜରୁ ସମସ୍ତ ତଥ୍ୟ ପାଇ ପାରିବେ। ନଚେତ୍‌ ୧୦୩୧କୁ ଫୋନ କରି ଅବା ମେସେଜ ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏହାକୁ ଅପ୍‌ଡେଟ୍‌ କରାଯିବ। ଏବେ ଦିଲ୍ଲୀରେ ୩୦୨ ଭେଣ୍ଟିଲେଟର ଥିବା ବେଳେ ସେଥିମଧ୍ୟରୁ ୨୦୨ ଖାଲି ରହିଛି। ତେଣୁ ଦିଲ୍ଲୀରେ କରୋନା ରୋଗୀଙ୍କ ଚିକିତ୍ସାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରି ସାରିଲାଣି।

Share