Categories: ଖେଳ

ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌ରୁ ଓହରିଲେ ଚାଇନା, ପାକିସ୍ତାନ

ପୁଣେ,୧୮।୨- ଆସନ୍ତା ମାର୍ଚ୍ଚରେ ନୂଆଦିଲ୍ଲୀ ସ୍ଥିତ ଡ. କାର୍ନି ସିଂ ଶୁଟିଂ ରେଞ୍ଜରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆୟୋଜନ ହେବ। ଇଭେଣ୍ଟ ପୂର୍ବରୁ ଆୟୋଜକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଇଫଲ, ପିସ୍ତଲ ଓ ଶଟ୍‌ଗନ ଭଳି ୩ ବିଭାଗରେ ଆସନ୍ତା ୧୫ ତାରିଖରୁ ହେବାକୁ ଥିବା ଟୁର୍ନାମେଣ୍ଟରୁ ଚାଇନା ଓହରି ଯାଇଛି। କରୋନା ଭାଇରସର ଭୟ ଯୋଗୁ ବୈଦେଶିକ ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚାଇନିଜ ଶୁଟରଙ୍କ ଭିଜାକୁ ଅନୁମତି ନ ଦେବାର ସମ୍ଭାବନା ଥିଲା। କାରଣ ଦିଲ୍ଲୀଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ କୁସ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଚାଇନିଜ ରେସଲରମାନଙ୍କୁ ଯାତ୍ରା ଅନୁମତି ମିଳି ନ ଥିଲା। ଜାତୀୟ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ସଭାପତି ରନିନ୍ଦର ସିଂ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଚାଇନିଜ ଶୁଟରଙ୍କ ନିଷ୍ପତ୍ତି। ଏଥିରେ ଭାରତ ସରକାରଙ୍କ କୌଣସି ହାତ ନାହିଁ। ସେମାନଙ୍କ ପାଇଁ ହୋଟେଲ ବୁକିଂ ଓ ଅନ୍ୟ ବ୍ୟବସ୍ଥା କରାଯାଇଥିଲା। ଏଣୁ ସେମାନେ ଆମକୁ ପୂର୍ବରୁ ସୂଚନା ଦେଇଛନ୍ତି। ପାକିସ୍ତାନ ମଧ୍ୟ ତା’ର ଶୁଟରଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଆମ ୩ ଶୁଟର ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଛନ୍ତି। ଆମେ ତାଙ୍କ ପାଇଁ କୋଚ୍‌ ଖୋଜୁଥିଲୁ। ଜର୍ମାନୀରେ କୋଚ୍‌ ମିଳିଛନ୍ତି ଓ ସେ ମାର୍ଚ୍ଚରେ ଟ୍ରେନିଂ ଦେବା ଲାଗି ଉପଲବ୍ଧ ରହିବେ। ଏଣୁ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବାର କିଛି ଲାଭ ନାହିଁ ବୋଲି ଜାତୀୟ ରାଇଫଲ ଆସୋସିଏଶନ ଅଫ୍‌ ପାକିସ୍ତାନ କାର୍ଯ୍ୟକାରୀ ଉପ ସଭାପତି ଜାଭେଦ ଲୋଧି କହିଛନ୍ତି। ଗତ ସଂସ୍କରଣରେ ଭାରତ ସରକାର ପକିସ୍ତାନ ଶୁଟରଙ୍କ ଭିଜାକୁ ମଞ୍ଜୁରି ଦେଇ ନ ଥିଲା।

Share